Odiapua.com

ବଳକା ଖାଦ୍ୟଖାଇ ମୋବାରକପୁର ଆଦିବାସୀ ଲୋକେ ଅସୁସ୍ଥ, ସାହିରେ ମେଡିକାଲ ଦଳ

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମୋଚାରକପୁର ଗେଙ୍ଗୁଟିଆ ଆଦିବାସୀ ବସ୍ତି ବାସିନ୍ଦା ବଳକା ଭୋଜି ଖାଦ୍ୟ ସେବନ କରି ମଙ୍ଗଳବାର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆଜ୍ଞାତ ଅର୍ଜୁନ ମୁଣ୍ଡା(୬୧ ) ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଆକ୍ରାନ୍ତ ହୋଇଥିବା ଅର୍ଜୁନ ପତ୍ନୀ ଶକୁନ୍ତଳା,ଚିକିତ୍ସିତ ହୋଇ ଘରକୁ ବୁଧବାର ଫେରିଥିବା ଜଣାଯାଇଛି । ଆକ୍ରାନ୍ତ ହୋଇଥିବା ଗ୍ରାମର ଅନ୍ୟ ୧୮ ଜଣ କ୍ରମେ ସୁସ୍ଥ ହେଉଛନ୍ତି । ପରିସ୍ଥିତି ନିୟନ୍ତ୍ରଣଧୀନ ଅଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ସରୋଜ କୁମାର ରାଉଳ ସୂଚନା ଦେଇଛନ୍ତି । ଡାକ୍ତର ରାଉଳଙ୍କ ନେତୃତ୍ୱରେ ଡା. ଆଦିତ୍ୟ କୁମାର ସାହୁ, ବିପିଏମ ଇଣ୍ଡରେଖ ପୃଷ୍ଟି ପ୍ରମୁଖ ଗ୍ରାମକୁ ଯାଇ ଆକ୍ରାନ୍ତକୁ ଚିକିତ୍ସା କରିବା ସହ ବିଚିଂ ପାଉଡର ଦ୍ୱାରା ଶୋଧନ ବ୍ୟବସ୍ଥା କରିଥିଲେ । ନଳକୂପ ଆଦି ପାନୀୟ ଜଳ ଉତ୍ସଗୁଡିକୁ ମଧ୍ୟ ବିଶୋଧନ କରାଯାଇଛି । ଜିଲ୍ଲା ସଂକ୍ରାମକ ରୋଗ ବିଷେଶଜ୍ଞ ପାର୍ଥସାରଥ ନାୟକ ଆଦିବାସୀ ବସ୍ତିକୁ ଆସି ପରିସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତଙ୍କ କାରଣ, ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସାହିରେ ମେଡିକାଲ ଦଳ ମୁତୟନ ରହିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ପାଟୁଳିର ଜନୈକ ବ୍ୟକ୍ତି ସୋମବାର ଭୋଜିର ବଳକା ଖାଦ୍ୟ ଆଦିବାସୀ ବସ୍ତି ଲୋକଙ୍କୁ ବିତରଣ କରିଥିଲେ । ଏହି ଖାଦ୍ୟ ଗ୍ରହଣ କରିବା ପରେ ସାହିର ବହୁ ଲୋକ ଆକ୍ରାନ୍ତ ହୋଇ ମଙ୍ଗଳବାର ଅପରାହ୍ନରୁ ପେଟ କାଟିବା, ନାଳଝାଡ ହେବା ଭଳି ରୋଗରେ ପୀଡିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ମଙ୍ଗଳବାର ସନ୍ଧ୍ୟାରୁ ଗ୍ରାମ୍‌ରେ ସ୍ଥାନୀୟ ମେଡିକାଲ ଦଳ ପହଂଚି ଚିକିତ୍ସା ଆରମ୍ଭ କରିଥିଲେ । ବୁଧବାର ସ୍ଥିତିରେ ସୁଧାର ଆସିଥିବା ଜଣାଯାଇଛି ।