Odiapua.com

ବଲିଉଡ୍ ଫିଲ୍ମ ‘ଥ୍ରୀଲର’ରେ ନୟାଗଡ଼ର ଓଡ଼ିଆ ଝିଅ ଅପ୍‌ସରା

ନୟାଗଡ଼, ୧୪ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବଲିଉଡ୍‌ରେ ନୟାଗଡ଼ର ଝିଅ ଅଙ୍କିତା ଏଂଟ୍ରି କରି ସାରା ନୟାଗଡ଼ ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ବଲିଉଡ୍‌ର ବିଶିଷ୍ଟ ନିର୍ମାତା-ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ହିନ୍ଦି ଫିଲ୍ମ ‘ଥ୍ରୀଲର’ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଓଡ଼ିଶାରେ ବିଶେଷକରି ନୟାଗଡ଼ ଜିଲାରେ ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଘର ତାଙ୍କର ନୟାଗଡ଼ ଜିଲା କଂଟିଲୋ ଅଂଚଳରେ। ତାଙ୍କର ପ୍ରକୃତ ନାମ ଅଙ୍କିତା ମହାରଣା। ହେଲେ ନିର୍ମାତା ନିର୍ଦ୍ଦେଶକ ରାମଗୋପାଳ ବର୍ମା ବଲିଉଡରେ ତାଙ୍କର ମୂଳ ନାମ ପରିବର୍ତ୍ତନ କରି ଅଙ୍କିତାରୁ ଅପ୍‌ସରା ରାଣୀ ରଖିଛନ୍ତି। ତାଙ୍କ ବାପାଙ୍କ ନାମ ଚନ୍ଦ୍ର ଶେଖର ମହାରଣା, ଓ ମା ସନ୍ଧ୍ୟା ମହାରଣା। ତାଙ୍କ ବାପା ଜଣେ ସେନା ଅଧିକାରୀ ହୋଇଥିଲାବେଳେ ମା’ଜଣେ ବିଉଟିସିଆନ। ସେ ଡେରାଡୁନ୍‌ରେ ଜନ୍ମ ଗ୍ରହଣ କରିଥିଲାବେଳେ ହାଇଦ୍ରାବାଦରେ ବଢିଥିବା ଏବଂ ଓଡ଼ିଶାରେ ନରହିଥିଲେ ମଧ୍ୟ ଖାଂଟି ଓଡ଼ିଆରେ କହି ଓଡ଼ିଶାବାସୀଙ୍କ ମନ ହରଣ କରିପାରୁଥିବା ଅପ୍‌ସରା ରାଣୀ ଏବେ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ହିନ୍ଦି ଫିଲ୍ମରେ ନାୟିକା। କମ୍ପ୍ୟୁଟର ଇଂଜିନିୟର ପରେ ଅଭିନୟ ଜଗତରେ ପାଦ ଥାପି ବିଭିନ୍ନ ମଡେଲିଂ ସହ ନୃତ୍ୟ କରୁଥିଲେ। ସେ ପ୍ଲେ ସ୍କୁଲରେ ପଢୁଥିବା ସମୟରେ ୩ବର୍ଷ ବୟସରୁ ମଂଚରେ ଅଭିନୟ ଆରମ୍ଭ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକୟମରେ ଅଂଶଗ୍ରହଣ କରିଥିଲେ। ଏପରିକି ସ୍କୁଲ ଓ କଲେଜର ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ଅଭିନୟର ପରାକାଷ୍ଠା ଦେଖାଇ ବଡ଼ ପରଦାକୁ ଯିବାକୁ ମନ ବଳାଇଥିଲେ। ଯେତେବେଳେ ଯେଉଁ ସୁନ୍ଦରୀ ପ୍ରତିଯୋଗୀତା ହେଉଥିଲା ସେଥିରେ ସେ ଭାଗ ନେଉଥିଲେ। ଉତ୍ତରାଖଣ୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ପ୍ରାପ୍ତ ପରେ ଅପ୍ସରା ବେଶୀ ଝୁଙ୍କି ପଡ଼ିଥିଲେ ଅଭିନୟ ପ୍ରତି। ଅଲ ଇଣ୍ଣିଆ ମିଶ୍ ୟୁନିଭରସିଟି, ମିସ୍ ବେଙ୍ଗାଲୁରୁ ପ୍ରଭୁତି ପ୍ରତିଯୋଗୀତାରେ ସେ ସଫଳତା ପାଇଁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କେବଳ ସୁନ୍ଦରୀ ପ୍ରତିଯୋଗୀତା ତାଙ୍କୁ ଆତ୍ମସନ୍ତୋଷ ଦେଇପାରୁନଥିଲା। ବଡ଼ ପରଦାରେ ପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ଥିବାବେଳେ ତାଙ୍କୁ ୨୦୧୯ରେ ତେଲୁଗୁ ଚଳଚ୍ଚିତ୍ର ‘ଫୋର ଲେଟର୍ସ’ ପାଇଁ ଅଫର ମିଳିଥିଲା। ଏଥିରେ ସେ ଅନୁପମା ଚରିତ୍ରରେ ଅଭିନୟ କରିଥିବାବେଳେ ଦ୍ୱିତୀୟ ତେଲୁଗୁ ଚଳଚ୍ଚିତ୍ର ‘ଓଲାଲା ଓଲାଲା’ ତାଙ୍କୁ ଅନେକ ପରିଚିତ କରାଇଥିଲା। ପରେ ପରେ ଓଡ଼ିଆ-ତେଲୁଗୁ ଚଳଚ୍ଚିତ୍ର ‘ପାଟଣାଗଡ଼’ରେ ଅଭିନୟର ସୁଯୋଗ ମିଳିଲା। ପ୍ରଯୋଜକ ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶକ ରାଜେଶ ଟଚରିଭରଙ୍କ ଏହି ଚଳଚ୍ଚିତ୍ରରେ ଅପସ୍‌ରା ଅଭିନୟ କରିବା ପାଇଁ ଅଭିନେତା ମନୋଜ ମିଶ୍ର ତାଙ୍କୁ ବେଙ୍ଗଲୁରୁରେ ଭେଟିଥିଲେ। ଏବଂ ଏହି ପାଟଣାଗଡ଼ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମନୋନୀତ କରିଥିଲେ। ତେବେ କୌଣସ କାରଣରୁ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିବାବେଳେ ବଳିଉଡ୍‌ର ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଏକ ଷ୍ଟେଜ୍ ସୋ କାର୍ଯ୍ୟକ୍ରମରେ ଅପ୍‌ସରା ନୃତ୍ୟ କରୁଥିବାବେଳେ ତାଙ୍କ ନଜରକୁ ଆସିଥିଲେ। ଏବଂ ତାଙ୍କ ଚିତ୍ର ‘ଥ୍ରୀଲର’ରେ ସୁଯୋଗ ଦେଇଥିଲେ। ଥ୍ରୀଲରର ଶୁଭମୁକ୍ତି ପାଇଁ ଅପ୍‌ସରା ଉତ୍ସାହିତ ଥିଲାବେଳେ ତାଙ୍କୁ ହିନ୍ଦି ଫିଲ୍ମରେ ଦେଖିବା ପାଇଁ ଓଡ଼ିଶାର ବହୁ ସିନେ ଦର୍ଶକ ଆହୁରି ଅଧିକ ଉତ୍ସାହିତ ପଡ଼ିଛନ୍ତି। ଅପ୍‌ସରା ରାଣୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଅଭିନୟର ଯାଦୁରେ ସେ ସାରା ଭାରତରେ ଓଡ଼ିଶାର ସୁନାମ ରଖନ୍ତୁ ବୋଲି ସିନେ ଦର୍ଶକ ତାଙ୍କର ଶୁଭ ମନାସିଛନ୍ତି।