Odiapua.com

ବଲାଣି ବିକାଶ ପରିଷଦ ପକ୍ଷରୁ ରକ୍ତଦାତା ଜୀବନଦାତା କାର୍ଯ୍ୟକ୍ରମ

ବଡ଼ବିଲ, ତା ୩୧ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଲକ୍ ଡାଉନ୍ ସମୟରେ ରକ୍ତର ଅଭାବ ସମସ୍ୟା ଦୂର କରିବା ପାଇଁ ବଲାଣି ବିକାଶ ପରିଷଦ ପକ୍ଷରୁ ରକ୍ତଦାତା ଜୀବନଦାତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । କେନ୍ଦୁଝର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ପୂରଣ କରିବା ପାଇଁ ଯୋଡା ବ୍ଲକ ଅଧୀନସ୍ଥ ବଲାଣି ପଞ୍ଚାୟତରେ ବଲାଣୀ ବିକାଶ ପରିଷଦ ଓ ସେଲର ଆନୁକୂଲ୍ୟରେ ଏକ କ୍ଷୁଦ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଛି । କରୋନା ମୁକାବିଲା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ ରକ୍ତଦାନ ଶିବିର ମଧ୍ୟ ବନ୍ଦ କରାଯାଇଛି । ରକ୍ତଭଣ୍ଡାରକୁ ବିଭିନ୍ନ ଗ୍ରୁପର ରକ୍ତ ସ୍ବେଚ୍ଛାସେବୀମାନେ ଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କରୁଛନ୍ତି । ରକ୍ତଦାନ ଏକ ଅସାଧାରଣ ସାହାଯ୍ୟ ଧନୀ-ଗରିବ, ଉଚ୍ଚ-ନୀଚ, ସର୍ବ ଧର୍ମରେ ସମସ୍ତଙ୍କ ରକ୍ତ ସମାନ । ତେଣୁ ରକ୍ତରେ କୌଣସି ଜାତି ନଥାଏ । ଏହି କାର୍ଯ୍ୟକ୍ରମକୁ ବଲାଣି ସେଲ ମୁଖ୍ୟ ପ୍ରବନ୍ଧକ ଏ. କେ ମିଶ୍ର, ଉପ ଖଣି ପ୍ରବନ୍ଧକ କେ. ଭାସ୍କର, ଏସ. କେ ଦେବ ପ୍ରମୁଖ ଫିତା କାଟି ଶୁଭାରମ୍ଭ କରିବା ସହ ଉପସ୍ଥିତ ସ୍ବେଚ୍ଛାସେବୀ ଓ କାର୍ଯ୍ୟକର୍ତ୍ତାଙ୍କୁ ରକ୍ତଦାନ ପରି ମହତ ଦାନ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ । କରୋନା ମହାମାରୀର ବିକଟ ପରିସ୍ଥିତିରେ ଦେଶରେ ରକ୍ତ ଅଭାବ ଦେଖାଦେଉଥିବା ସମୟରେ ବିକାଶ ପରିଷଦର ଏହି ପ୍ରଚେଷ୍ଟା ସ୍ଥାନୀୟ ଲୋକଙ୍କ ପାଖରେ ଅତି ପ୍ରସଂଶନୀୟ ହୋଇପାରିଛି । ଉଚିତ ସାମାଜିକ ଦୂରତା ସହ ମହାମାରୀ କରୋନା ପରିସ୍ଥିତିର ସମସ୍ତ ଆବଶ୍ୟକତାକୁ ଆଖି ଆଗରେ ରଖି ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବଲାଣୀ ବିକାଶ ପରିଷଦର ସଭାପତି ଲମ୍ବୋଦର ପଲେଇ, ସମ୍ପାଦକ ଶିବାଶିଷ ନନ୍ଦ, ଓ ଯୁବ ସମାଜସେବୀ ସୌମ୍ୟ ପ୍ରକାଶ ସିଂହଙ୍କ ନେତୃତ୍ୱ ସହ ବରିଷ୍ଠ ସମାଜସେବୀ କମଳା ପତି ଯାଦବ ତଥା ଅବସରପ୍ରାପ୍ତ ଶିକ୍ଷକ କମଳଲୋଚନ ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏଥିସହ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ରଞ୍ଜିତ ପଲେଇ, ବାଦଲ ହରିଜନ, ଗୁଲସନ, ଏସ. କେ ଅଫସର, ରାଜା ନାୟକ, ଏମଡି ଚାନ୍ଦ, କୁନା ମହାନ୍ତି, ସୌମ୍ୟ ଜ୍ୟୋତି ଦାସ, ଦେବାପତି ଯାଦବ, ରୂପକ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।