Odiapua.com

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଗାନ କରାଗଲା ବନ୍ଦେ ଉତ୍କଳ ଜନନୀ

ବଲାଙ୍ଗୀର ୩୦-୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ, କୋଭିଡ-୧୯ ଯୁଦ୍ଧରେ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣ ରୋକିବା ପାଇଁ ଦିନ-ରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ଆଜି ଟିଟିଲାଗଡ ସହରର ରେଲୱେ ପରିସରରେ ସ୍ଥାନୀୟ ବିଧାୟିକା ତଥା କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଭିନ୍ନ ସଂଗଠନ ଓ ସରକାରୀ ସଂସ୍ଥାରୁ ଶତାଧିକ ଲୋକ ଠିଆ ହୋଇ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରିଥିଲେ।

ମନ୍ତ୍ରୀ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ଆଜିର ଏହି ଗାନର ନିବେଦନ ବିଷୟରେ କହିଥିବା ବେଳେ ଉପଜିଲ୍ଲାପାଳ ସୁଧାକର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ। ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ମଞ୍ଚ ପରିଚାଳନା କରିଥିଲେ ଓ ସୁମଧୁର କଣ୍ଠ ଶିଳ୍ପୀ ପଙ୍କଜ ଜାଲ ଓ ରଂଜନ ଗ୍ରୁପ ର ସଦସ୍ୟ ମାନେ ମ୍ୟୁଜିକ ସହିତ ସଙ୍ଗୀତ ଗାନ କରିଥିଲେ।

ଉକ୍ତ ସାମୁହିକ ସଙ୍ଗୀତ ଗାନ ରେ ପୁଲିସ କର୍ମୀ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀ, ଜି ଆର ପି, ଆର ପି ଏଫ, ବଣିକ ସଙ୍ଘ, ନାରୀ ଶକ୍ତି, ଚେମ୍ବର ଅଫ କମର୍ସ, ସ୍ଥାନୀୟ ମ୍ୟୁନିସିପାଲିଟି ର କର୍ମଚାରୀ, ଅବସର ପ୍ରାପ୍ତ ଶିକ୍ଷକ ସଂଘ, ବୟୋଜ୍ୟେଷ୍ଠ ନାଗରିକ କମିଟି, ଔଷଧ ବିକ୍ରେତା ସଙ୍ଘ, ରେଲୱେ କର୍ମଚାରୀ ତଥା ଟିଟିଲାଗଡ଼ ଯୁବା ମଞ୍ଚ, ଲାୟନ୍ସ କ୍ଲବ, ମାରବାଡ଼ି ସମାଜ, କିରାନା ଓ କପଡା ବେପାରୀ ସଙ୍ଘ, ସରକାରୀ ଓ ବେସରକାରୀ ସଂସ୍ଥା ର ଅନେକ ଲୋକ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କ ଉତ୍ସାହ ବର୍ଦ୍ଧନ କରି ଥିଲେ। ସେହିପରି ଟିଟିଲାଗଡ଼ ଡାକ୍ତରଖାନା ପରିସରରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପସ୍ଥିତି ରେ ଏହି ସଙ୍ଗୀତ ଗାନ କରାଯାଇଥିଲା।