Odiapua.com

ବଲାଙ୍ଗୀର ପୋଲିସ ହାତରେ ପଞ୍ଚଜଣ ଲୁଟେରା ଗିରଫ

ବଲାଙ୍ଗୀର, ୧୦-୧୦:(ଓଡ଼ିଆପୁଅ) ବଲାଙ୍ଗିର ପୁଲିସ ହାତରେ ୫ ଲୁଟେରା ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗାଁର ରାମଲାଲ ସୁନାନୀ(୪୨), ଟୁକୁ ଓରଫ୍‌ ପବିତ୍ର ଜାଲ(୨୫), ସୁବଲ ବାଗ(୨୪), ଦେଓଗାଁ ବ୍ଲକ୍‌ ପଦ୍ମ‌ପୁର ଗାଁର ବନମାଲି ପୋଢ଼(୨୩) ଓ ଅଲେଖ ପୋଢ଼(୨୫)। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନୀ ବଲାଙ୍ଗିର ଶାଖାରେ ଫିଲ‌ଡ଼ କ୍ରେଡିଟ୍‌ ଅଫିସର ଭାବେ ବିଜୟ କୁମାର ବାରିକ କାମ କରୁଥିବାବେଳେ ସେ ବିଭିନ୍ନ ଗାଁରେ ଥିବା ଗ୍ରୁପ୍‌ ସଦସ୍ୟାମାନଙ୍କଠାରୁ ଋଣ କିସ୍ତି ସଂଗ୍ରହ କରଥିଲେ। ତେବେ ସେ ଗତ ଜୁଲାଇ ମାସ ୧୩ ତାରିଖ ଦିନ ମହମ୍ମଦପୁର ଏବଂ ପଦ୍ମପୁର ଗାଁରୁ ୩୦ ହଜାର୨୩୦ ଟଙ୍କା ସଂଗ୍ରହ କରି ବଲାଙ୍ଗିର ଫେରୁଥିବାବେଳେ ପଦ୍ମପୁରରୁ ମହମ୍ମଦପୁର ମଝିରେ ଲୁଟର ଶିକାର ହୋଇଥିଲେ। ତେବେ ଲୁଟେରାମାନେ ଆକ୍ରମଣ କରି ତାଙ୍କଠାରୁ ୩୭ ଶହ ଟଙ୍କା, ଡିଏଲ୍‌, ଆର୍‌ସି ତଥା ଏଟିଏମ୍‌ କାର୍ଡରେ ଥିବା ପିନ୍, ମନିପର୍ସ, ଏମ୍‌ଆଇ ରେଡ‌ମି ନୋଟ୍‌-୪ ମୋବାଇଲ୍‌ ଫୋନ୍‌ ଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ, ଅଭିଯୁକ୍ତ ଅଲେଖ ପୋଢଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଘଟଣା ଦିନ ଜଂଗଲରେ ଛପି ରହିଥିଲେ। ତେବେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଥିବାବେଳେ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌, ଘଟଣାରେ ବ୍ୟବହୃତ ବାଇକ୍‌ ମଧ୍ୟ ଜବତ କରିଛି।