Odiapua.com

ବର୍ଷ ବର୍ଷ ହେଲା ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଛି ଶିଶୁ କନ୍ୟା ଲଭଲି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ହରିଚନ୍ଦନପୁର, ତା ୦୧ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସରକାର ଗରିବଙ୍କୁ ଉଚିତ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି। ସେହି ଯୋଜନା ଗୁଡିକ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ଯୋଜନା ଗୁଡିକ କିପରି ଗରିବଙ୍କ ନିକଟରେ ପହଞ୍ଚିବ ସେନେଇ ପ୍ରଚାରରେ ମଧ୍ୟ କୋଟି କୋଟି ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହି ଯୋଜନାର କିପରି ସଫଳ ରୂପାୟନ ହେଉଛି ତାହା ଦେଖିବାକୁ ମିଳିଛି ଅସହାୟ କୋମଳ ମତି ଶିଶୁ ଲବଲି କ୍ଷେତ୍ରରେ। କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମର ଶରତ ବେହେରାଙ୍କ ଶିଶୁ କନ୍ୟା ଲଭଲି। ବୟସ ଏବେ ନଅ ବର୍ଷ କିନ୍ତୁ କୌଣସି ଜନ୍ମ ଜାତ ଶିଶୁ ଭଳି ରହିଛି ତାର ଦେହ। ଜନ୍ମର ତିନି ମାସ ପରଠାରୁ ଦେହରୁ ଚମଡା ଛାଡିବା ଆରମ୍ଭ କରିଥିଲା। ଏହା ଧିରେ ଧିରେ ଦୂରା ରୋଗ୍ୟ ଚର୍ମ ରୋଗରେ ପରିଣତ ହେଲା। ଏପରିକି ଏହି ଚମଡା ଛାଡିବାରେ ଦେହରୁ ଦୁର୍ଗନ୍ଧ ଯୁକ୍ତ ରକ୍ତ ସ୍ରାବ ହୋଇଥାଏ। ଲଭଲିଙ୍କ ଜନ୍ମରୁ ଗୋଟିଏ ହାତ ବଙ୍କା ଥିବା ବେଳେ ସେଥିପାଇଁ ମଧ୍ୟ ସାର୍ଟିଫିକେଟ ହାସଲ କରିଛନ୍ତି। ହେଲେ ସେଥିପାଇଁ ମଧ୍ୟ ସରକାରୀ ସାହାଯ୍ୟ ପାଇପାରିନାହାନ୍ତି। ବାପା ଶରତ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଥାନ୍ତି। ଗ୍ରାମରେ କାମ ନମିଳିବା କାରଣରୁ ଶରତ ଶଶୁରଘର ଭଗାମୁଣ୍ଡା ନୂଆଗାଁ ବାଘୁଆବେଡା ସାହିରେ ଦୀର୍ଘ ଦିନ ଧରି ରହୁଛନ୍ତି। ପ୍ରତ୍ୟେକ ଦିନ ଯାହା ମୂଲ ଲାଗି ଘରକୁ ଆଣିଥାନ୍ତି ସେଥିରେ ଚାରି ପ୍ରାଣୀ କୁଟୁମ୍ବର ଭରଣ ପୋଷଣ ହୋଇଥାଏ। ଲଭଲି ଜନ୍ମ ହେବାର ୩ମାସ ପରେ ଏହି ରୋଗ ହୋଇଥିଲା। ଏହି ରୋଗ ଭଲ କରିବା ପାଇଁ ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ପରେ କେନ୍ଦୁଝର ଓ ତାପରେ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ବହୁ କଷ୍ଟରେ ଚିକିତ୍ସା ପାଇଁ ନେଇଥିଲେ। ରେଡ଼କ୍ରସରୁ ମିଳିଥିବା ସ୍ୱଳ୍ପ ସାହାଯ୍ୟରେ ଚିକିତ୍ସା ହୋଇଥିଲା। ସେଥିରେ କିଛି ମାତ୍ରାରେ ଭଲ ହୋଇଥିଲା, କିନ୍ତୁ ଉକ୍ତ ଅର୍ଥରେ ସମ୍ପୂର୍ଣ୍ଣ ଚିକିତ୍ସା ହୋଇନଥିଲା। ଏନେଇ ଅଧିକ ଅର୍ଥ ଆବଶ୍ୟକ ହେଉଥିଲେ ହେଁ ଆଉ କୌଣସି ସରକାରୀ ସାହାଯ୍ୟ ମିଳିପାରିନାହିଁ ଲଭଲିର ପରିବାରକୁ। ଫଳରେ ପୁନଃର୍ବାର ଏହି ଦୂରାରୋଗ୍ୟ ମାଡି ବସିଛି ଲଭଲିକୁ। ପରିବାର ଲୋକଙ୍କ ଅଧିକ ଚିକିତ୍ସା କରିବାକୁ ଇଚ୍ଛା ରହିଛି, ହେଲେ ଅର୍ଥ ସାଜିଛି ବାଧକ। ଲକଡାଉନରେ କାମ ଧନ୍ଦା ବନ୍ଦ ହୋଇଯାଇଥିବା ବେଳେ ପରିବାର ଲୋକଙ୍କ ସରକାର ହିଁ ସାହା ଭରସା। ଦିନେ ଭଲ କଥା କହି ଘର ଲୋକଙ୍କ ସହ ସାହି ପଡ଼ିଶାରେ ମନ ମୋହୁ ଥିବା ଲଭଲିକୁ ସରକାରୀ ସାହାଯ୍ୟ ଯଦି ମିଳିପାରନ୍ତା ତାହାଲେ ସେ ପୂର୍ବ ପରି ସୁସ୍ଥ ହୋଇ ପାରନ୍ତେ।