Odiapua.com

ବର୍ଷିୟାନ କବି ଶ୍ୟାମସୁନ୍ଦର ଦାଶଙ୍କ ପୁସ୍ତକ ‘ତନ୍ମୟ ତୂଣୀର’ ଲୋକାର୍ପିତ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ୯୩ ବର୍ଷ ବୟସ୍କ ବୟୋଜ୍ୟେଷ୍ଠ କବି ଶ୍ୟାମସୁନ୍ଦର୍ ଦାଶଙ୍କ ପ୍ରଥମ କବିତା ସଂକଳନ “ତନ୍ମୟ ତୂଣୀର’ ଲୋକାର୍ପିତ ହୋଇଯାଇଛି । ଉକ୍ତ ସଭାରେ କବିଙ୍କର ଚାରି ଝିଅ ଜ୍ୱାଇଁ, ପୁତ୍ର ପୁତ୍ରବଧୂ,ସମୁଦୁଣୀ ସାହିତ୍ୟିକା ଅଞ୍ଜଳି ପଣ୍ଡା (ବାଲେଶ୍ୱର) ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକ ଝରଣା ପଟ୍ଟନାୟକ, ମୁଖ୍ୟବକ୍ତା ଡ. ହରିଶ୍ଚନ୍ଦ୍ର ବେହେରା, ସମ୍ମାନିତ ବକ୍ତାଭାବେ ଡ. ସାରଙ୍ଗଧର ତ୍ରିପାଠୀ, ଅଧ୍ୟାପିକା ଡ. ପ୍ରଭାତନଳିନୀ ମହାପାତ୍ରଙ୍କ ସହିତ କବି ଶ୍ୟାମସୁନ୍ଦର ଦାଶ, ତାଙ୍କ ସୁପୁତ୍ର ଇଂ ସୁବାସ ଦାଶ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର ସମାରୋହରେ ପୌରୋହିତ୍ୟ କରିଥିବା ବେଳେ ପ୍ରଫେସର ଅଟଳ ବିହାରୀ ନାୟକ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କବି ଶ୍ୟାମସୁନ୍ଦର ଦାଶଙ୍କ ସାହିତ୍ୟ ଜୀବନ,କବି,ନାଟ୍ୟକାର ଜୀବନ ଏବଂ ଶିକ୍ଷକ ଜୀବନ ଲୋକସେବାରେ କଟିଥିବା ବେଳେ ୨୦୨୦ରେ ପତ୍ନୀଙ୍କ ବିୟୋଗ ପରେ ସେ କବିତା ରଚନା କରି ଫକୀରମୋହନଙ୍କ ସଦୃଶ ହୋଇଥିବା ବକ୍ତାମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ଜ୍ୱାଇଁ, ପଡୋଶୀ ଗୋବର୍ଦ୍ଧନ ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ଜ୍ୟେଷ୍ଠ ପୁତ୍ର ସୁବାସ ଧନ୍ୟବାଦ ଅର୍ପଣ କରିଥିଲେ ।