Odiapua.com

ବର୍ଷା ଦେଲା ଚାଷୀଙ୍କୁ ସଂଜିବନୀ

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ରଜ ସରିବା ପରେ ମୈାସୁମୀ ଆସିଥିଲା କିନ୍ତୁ ମୈାସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁଁ ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ହୋଇ ପାରି ନଥିଲା। ଯଦ୍ୱାରା ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିଲା। କିନ୍ତୁ ଗତ କିଛି ଦିନ ହେବ ଲଘୁ ଚାପ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଛି। କିଛି ପରିମାଣରେ ବର୍ଷା ହେବାରୁ ଚାଷୀ କିଆରିରେ ଧାନତଳି ପକାଇବା ପାଇଁ କାଦୁଅ କାର୍ଯ୍ୟ ଆରମ୍ଭ କରିଛି। ପ୍ରକାଶ ଯେ:ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ପ୍ରାୟ ୮୦ ଭାଗ ଚାଷ ଉପରେ ନିର୍ଭର କରୁଥିବା ବେଳେ ୨୦ ଭାଗ ସରକାରୀ ଚାକିରୀଆ ଅଛନ୍ତି। ରଜ ପୂର୍ବରୁ ଜମିରେ ହଳ କରାଯାଇଥାଏ ମାତ୍ର ପ୍ରବଳ ଗରମ ଓ ଗ୍ରୀଷ୍ମ ଋତୁ ଯୋଗୁଁ ଜମି ଟାଣ ହୋଇଯିବା ଫଳରେ ଏହି କାର୍ଯ୍ୟ ସମ୍ଭବପର ହୋଇନଥିଲା। ପାଣିପାଗର ଅନିୟମିତତା ଯୋଗୁଁ ଧାନ ବୁଣା ଓ ତଳି ପକାରେ ଅହେତୁକ ବିଳମ୍ବ ହୋଇଥିଲା କିନ୍ତୁ ବର୍ତ୍ତମାନ ବର୍ଷା ହେବା ଯୋଗୁଁ ଚାଷୀ ଚାଷ ପାଇଁ ଅଣ୍ଟା ଭିଡ଼ିଛି। ବର୍ଷାର ଅନିୟମିତତା ଯୋଗୁଁ ପ୍ରାୟ ଏକମାସ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ଷା ଚାଷୀ ମନରେ ଉତ୍ସାହ ସୃଷ୍ଟି କରିଛି। ଶ୍ରାବଣ ମାସର ଆରମ୍ଭ ହେବାକୁ ଯାଉଥିବା ବେଳେ ବର୍ଷା ଯୋଗୁଁ ଚାଷୀର ଉତ୍ସାହ ଦ୍ୱିଗୁଣିତ ହୋଇଥିବାର ଦେଖିବାକୁ ମିଳିଛି। ବର୍ଷା ନହେବା ଫଳରେ ଚାଷ କାର୍ଯ୍ୟ ଆଜିଯାଏ ଆରମ୍ଭ ହୋଇପାରି ନଥିଲା। ଏଥିନେଇ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ସାଧାରଣତଃ ରଜ ସଂକ୍ରାନ୍ତି ପର ଠାରୁ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ମାତ୍ର ବର୍ଷାର ଅନିୟମିତତା ଯୋଗୁଁ ଚାଷୀମାନେ ଚାଷକାର୍ଯ୍ୟ କରି ନ ପାରି ହତାଶ ହୋଇପଡ଼ିଥିଲେ। ଚାଷୀମାନଙ୍କ ଉପରେ ପ୍ରକୃତି ବାରମ୍ବାର ଦାଉ ସାଜୁଥିବାର ଲକ୍ଷ୍ୟ କରାଯାଉଛି। କେତେବେଳେ ମରୁଡ଼ି ପୁଣି କେତେବେଳେ ବିଭିନ୍ନ ପୋକଦାଉରୁ ଚାଷ ହାନୀ, ଅମଳ ହେବା ପରେ ବିକ୍ରୀ ପାଇଁ ମଣ୍ଡିରେ ଧାନ ମାସମାସ ଧରି ପଡ଼ି ରହିବା ପୁଣି ଧାନ ବିକ୍ରୀ ଅର୍ଥ ତୁରନ୍ତ ନ ମିଳିବା ଆଦି ସମସ୍ୟା ନେଇ ଚାଷୀକୂଳ ବାରମ୍ବାର ଗତି କରୁଛନ୍ତି। ଏଥି ସହିତ ସରକାରୀ ଆର୍ଥିକ ସହାୟତା ମିଳିବା କ୍ଷେତ୍ରରେ ଟାଳଟୁଳ ନୀତି ଚାଷୀମାନଙ୍କୁ ଆଶାକୁ ଧୂଳିସାତ୍ କରୁଛି।