Odiapua.com

ବର୍ଷା ଅଭାବରୁ ହୀରାକୁଦ ଡ୍ୟାମର ଜଳସ୍ତର ଖସୁଛି

ସମ୍ବଲପୁର, ୨୩/୭ – (ଓଡ଼ିଆ ପୁଅ) ଆଷାଢ ମାସ ପରେ ଶ୍ରାବଣ ଅତିକ୍ରାନ୍ତ ହୋଇ ଜୁଲାଇ ମାସ ସରିବାକୁ ବସିଲାଣି ହେଲେ ହୀରାକୁ୍ ଦ ଡେମ୍ ର ଜଳସ୍ତର ବୃଦ୍ଧି ପାଇବା ବଦଳରେ ଖସିବାରେ ଲାଗିଛି। ସାଧାରଣତଃ ଜୁନ ମାସରେ ବର୍ଷା ହୋଇ ଡ଼େମର ଜଳଧାରଣ କ୍ଷମତା ବଢିଥାଏ। ଜୁଲାଇ ମାସରେ ଏଠାରୁ ଫାଟକ ଖୋଲାଯାଇ ପାଣି ଖଲାସ କରାଯାଏ। ଏଥର ତାହାର ଓଲଟା। ଡ଼େମର ଜଳସ୍ତର ୩୨ ଫୁଟ ତଳେ ରହିଛି। ଚଳିତ ଜୁଲାଇ ମାସର ପ୍ରଥମ ସପ୍ତାହରେ ଏ ବର୍ଷର ପ୍ରଥମ ବର୍ଷା ହୋଇଥିଲା। ତାପରେ ଆଉ ବର୍ଷାର ଦେଖାନାହିଁ। ଡ଼େମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଅଟେ। ଗତ ପ୍ରଥମ ସପ୍ତାହ ସଦ୍ଧା ଏହାର ଜଳସ୍ତର ୬୦୦ଫୁଟରୁ ତଳେ ରହିଥିଲା। ବର୍ଷା ଯୋଗୁ ଏହା ୬୦୪ ଫୁଟରେ ପହଂଚି ଥିଲା। ତା’ବାଦ ବର୍ଷା ବନ୍ଦ ହେବାରୁ ଆଜି ଏହା ୫୯୮.୭୯ ଫୁଟକୁ ଖସିଆସିଛି। ଜଳ ଭଣ୍ଡାର ମଧ୍ୟକୁ ଆଜି ସନ୍ଧ୍ୟା ୬ଟାରେ ମାତ୍ର ୩୧୬୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓାର ଚେନାଲ ଦେଇ ୮୧୨୭ କ୍ୟୁସେକ ପାଣି ଛଡ଼ାଯାଉଛି। ଜୁଲାଇ ମାସରେ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହରୀ ୩୫୦ ମିିଲି ମିଟର ବୃଷ୍ଟିପାତ ହେବା କଥା। ହେଲେ ଗତକାଲି ସୁଦ୍ଧା ୧୭୫ ମିଲି ମିଟର ବର୍ଷା ରେକର୍ଡ଼ କରାଯାଇଛି। ମହାନଦୀ ସହିତ ଓଡ଼ିଶା ଓ ଛତିଶଗଡ଼ରେ ଥିବା ଏହାର ଉପନଦୀ ଗୁଡ଼ିକ ଉପରେ ମଧ୍ୟ ଆଶାନୁରୂପ ବର୍ଷା ହୋଇନଥିବାରୁ ଡ଼େମର ସ୍ଥିତି ବିଗିଡ଼ି ଯାଇଛି। ସୂଚନା ଯୋଗ୍ୟ ଯେ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଡ଼େମରେ ୫୯୦ ଫୁଟ ଓ ଶିଳ୍ପକୁ ଜଳଯୋଗାଣ ସକାଶେ ୫୯୫ ଫୁଟ ଜଳ ଜଳଭଣ୍ଡାରରେ ରହିବା କଥା। ଗତ ବର୍ଷ ଜୁଲାଇ ୨୪ ତାରିଖରେ ଡେମର ଜଳସ୍ତର ବୃଦ୍ଧି ପାଇ ୬୧୮ ଫୁଟ ଥିଲା। ଫଳରେ ଡେମର ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ତା ପୂର୍ବ ବର୍ଷ ଜୁଲାଇ ୨୩ ତାରିଖରେ ଏଠାରୁ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ସେଦିନ ଡ଼େମର ଜଳସ୍ତର ରହିଥିଲା ୬୦୭.୬ ଫୁଟ। କମ୍ ବର୍ଷା ଯୋଗୁଁ ଡ଼େମର ଜଳ ଧାରଣ କ୍ଷମତା ପ୍ରଭାବିତ ହୋଇଛି। ଆଗକୁ ଭଲ ବର୍ଷା ହେବା ସହିତ ଜଳଭଣ୍ଡାରର ସ୍ଥିତିରେ ଉନ୍ନତି ଆସିବ ବୋଲି ଡ଼େମ କର୍ତ୍ତୃପକ୍ଷ ପୂର୍ବାନୁମାନ ଲଗାଇଛନ୍ତି। ପରସ୍ଥିତି ଏପରି ହୋଇଛି ଯେ, ହୀରାକୁଦ କେନାଲ ଉପରେ ନିର୍ଭର କରୁଥିବା ଚାଷୀ ମାନେ ଖରିଫ ଫସଲ ସକାଶେ ରିସ୍କ ନନେଇ ତଳି ପକାଇବା କିମ୍ବା ପଲ୍ ହା ରୋପଣ କରିବାକୁ ଉଚିତ ମଣୁନାହାଁନ୍ତି।