Odiapua.com

ବର୍ଷାରେ ବେହାଲ; ୧୨ ପରିବାର ପାଣିଘେରରେ; ଚାଷଜମି ଜଳମଗ୍ନ; ଧାନଚାଷ ନଷ୍ଟ ଆଶଙ୍କା

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବିଭିନ୍ନ ଖାଲୁଆ ସ୍ଥାନର ହେକ୍ଟର ହେକ୍ଟର ଚାଷ ଜମିରେ ପାଣିସୁଅ ଚାଲୁଥିବାରୁ ସଦ୍ୟ ଋଆ ହୋଇଥିବା ଖରିଫ ଧାନ ଓ ତଳି ପଚିଯିବା ଆଶଙ୍କା ଦେଖାଦେଇଛି। ବିଶେଷ କରି ରାମଚନ୍ଦ୍ରପୁର, ଦକ୍ଷିଣବାଡ, ପାଟୁଳି, ନଗୁଆଁ ଆଦି ପଞ୍ଚାୟତର ଖାଲୁଆ ଜମିରୁ ଜଳ ନିଷ୍କାସନ ହୋଇପାରୁ ନଥିବା ଓ ଚାଷଜମିରେ ପାରି ବହୁଳ ପରିମାଣରେ ଜମି ରହିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଜଳନିଷ୍କାସନ ସମସ୍ୟା ଯୋଗୁଁ ରାମଚନ୍ଦ୍ରପୁର ପଞ୍ଚାୟତ ଭୂତିଆ ଗ୍ରାମର ବାର ପରିବାର ଜଳଘେରରେ ରହିଛନ୍ତି। ଘର ଭିତରରେ ପାରି ପଶିଯାଇଥିବାରୁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ମଧ୍ୟାନ୍ନରେ ବିଜେପି ନେତା ବଦ୍ରୀନାରାୟଣ ଧଳ, ରାମଚନ୍ଦ୍ରପୁର ସମିତି ସଭ୍ୟଙ୍କ ପ୍ରତିନିଧି ଦୁଶ୍ମନ୍ତ ସେନାପତି, ଭଗବାନ ସାମଲ ପ୍ରମୁଖ ପାଣିଘେରରେ ଥିବା ଲୋକଙ୍କୁ ଭେଟିବା ସହ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ଅବଗତ କରାଇଛନ୍ତି। ଜଳନିଷ୍କାସନ ବିଭାଗକୁ ପଦକ୍ଷେପ ନେବାକୁ ତହସିଲଦାର ଜଣାଇବା ସହ ଅବସ୍ଥା ଅନୁଧ୍ୟାନ କରି ଆବଶ୍ୟକସ୍ଥଳେ ରିଲିଫ ଯୋଗାଇବାକୁ ବିଡିଓ ବ୍ଲକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।