Odiapua.com

ବର୍ଷାରେ ନୟାଗଡ଼ ଅସ୍ଥାୟୀ ପରିବା ମାର୍କେଟ ବେହାଲ

ନୟାଗଡ଼, ୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବର୍ଷାରେ ନୟାଗଡ଼ ଅସ୍ଥାୟୀ ପରିବା ମାର୍କେଟ ବେହାଲ ହୋଇପଡ଼ିଛି। କରୋନା ଭୟାବହତା ସହ ସାମାଜିକ ଦୂରତ୍ୱ ରକ୍ଷା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ଅସ୍ଥାୟୀ ପରିବା ମାର୍କେଟ କରାଯାଇଥିଲା। ପ୍ରଥମେ ଏଠାରେ ପରିବା ମାର୍କେଟ ଚାଲିଥିବାବେଳେ ଲୋକମାନଙ୍କ ଗହଳ ଚହଳକୁ ଲକ୍ଷ୍ୟ ରଖି ପରେ ପୋଲିସ ଟ୍ରେନିଂ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାକୁ ପରିବା ପତ୍ର କିଣି ଯିବାକୁ ଗ୍ରାହକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ପୁନର୍ବାର ବଜାର ମଧ୍ୟରେ ଯେମିତି ଆଗରୁ ପରିବା ମାର୍କେଟ ଚାଲିଥିଲା ସେମିତି ଚାଲିଥିଲା। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍‌ନା ଦୁର୍ଗା ମଣ୍ଡପରେ ନୂଆକରି ପରିବା ମାର୍କେଟ ସହ ପୁରୁଣା ଜେଲ ପଛପାଶ୍ୱରେ ପରିବା ବେପାରୀମାନେ ପରିବାପତ୍ର ବିକ୍ରି କରିଥିଲେ। ହେଲେ ବଜାରରେ ଲୋକମାନଙ୍କ ଅସମ୍ଭବ ଭିଡ଼କୁ ଲକ୍ଷ୍ୟ କରି ପୁଣି ବ୍ରଜେନ୍ଦ୍ର ହାଇସ୍କୁଲ ପଡ଼ିଆକୁ ପରିବା ମାର୍କେଟ ଘୁଂଚିଥିଲା। ଏବେ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ପରିବା ମାର୍କେଟ ଚାଲିଛି। ହେଲେ ପରିବା ମାର୍କେଟ ସିନା ହେଲା ବର୍ଷା ଦାଉରୁ ରକ୍ଷା ପାଇଁ କୌଣସି ସୁବିଧା ନାହିଁ। ପରିବା ବେପାରୀମାନେ ଛତା ଟେକି ପରିବାପତ୍ର ବିକୁଥିବାବେଳେ ଗ୍ରାହକମାନେ ବର୍ଷାରେ ଓଦାହୋଇ ପରିବା କିଣୁଛନ୍ତି। ଏପରିକି ବର୍ଷାରେ ପଡ଼ିଆରେ ପାଣିଭର୍ତ୍ତୀ ହୋଇ ରହୁଥିବାରୁ କାଦୁଅ ପଚ ପଚ ପଡ଼ିଆ ବେହାଲ ହୋଇପଡ଼ିଛି। ପାଦ ପକେଇବାକୁ ଟିକେବି ଜାଗା ନାହିଁ। ଯେଉଁଠି ପାଦ ପକେଇବ ସେଠାରେ କାଦୁଅରେ ଗୋଡ଼ ବୁଡ଼ି ଯାଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା କାଦୁଅରେ ଗ୍ରାହକମାନେ ଲଟରପଟର ହୋଇ ପରିବା କିଣୁଥିବା ଦେଖିବାକୁ ମିଳୁଛି। ପରିବାବେପାରୀ ପରିବାପତ୍ର ଧରି ଛତା ଟେକି ବସିଥିବାବେଳେ ପରିବାକୁ ଲାଗି ଜମାଟ ପାଣି ଲାଗି ରହିଥିବାରୁ ଗ୍ରାହକମାନେ ତାଙ୍କ ପାଖରେ ପାଦଗୁଂଜି ଠିଆ ହେବାକୁବି ଟିକେ ସ୍ଥାନ ନାହିଁ। କାଦୁଅ ହଟେଇବାକୁ ପ୍ରଶାସନ ପକ୍ଷରୁ ପଡ଼ିଆରେ ପଥରଗୁଣ୍ଡ କିଛିମାତ୍ରାରେ ପଡ଼ିଥବାବେଳେ ତାହା କାଦୁଅକୁ ହଟେଇବାରେ ପର୍ଯ୍ୟାପ୍ତ ହୋଇନାହିଁ। ପଥରଗୁଣ୍ଡ ବର୍ଷାର ଜମାଟ ପାଣିରେ କାଦୁଅ ଭିତରେ ପଶିଗଲାଣି। ଯାହାକି ପଡ଼ିଆ ଭିତରେ ଗ୍ରାହକମାନେ ପଶି ପାଣି କାଦୁଅରେ ଲଟରପଟର ହୋଇ ପରିବାପତ୍ର କିଣିବା ଏବଂ ପରିବା ବେପାରୀମାନେ ପରିବା ବିକ୍ରି କରିବା ଅସମ୍ଭବ ହୋଇପଡ଼ିଛି। ଏଥିପ୍ରତି ଜିଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ଜିଲାର ନାମକରା ଏକମାତ୍ର କାହିଁ କେଉଁ ଅମଳର ଏହି ବ୍ରଜେନ୍ଦ୍ର ହାଇସ୍କୁଲର ଖେଳ ପଡ଼ିଆରେ ପରିବା ମାର୍କେଟ ଚାଲୁଥିବାରୁ ପଡ଼ିଆ ତା’ର ଗୌରବ ହରାଉଥିବା ନେଇ କେତେକ ଅଭିଯୋଗ କରିଛ୍‌ନ୍ତି।