Odiapua.com

ବର୍ଷାରେ କାଦବରାଙ୍ଗ ଆଡିଆ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗତ ବୁଧବାର ଠାରୁ ତିନିଦିନ ଧରି ବନ୍ତ ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ସାଳନ୍ଦୀ, କପାଳୀ ଓ ରେବ ନଦୀରେ ବଢି ପାଣି ଆସି ଅନେକ ଗାଁରେ ପଶିଥିବା ବେଳେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷାରେ ଅନେକ ଚାଳ ଛଫର ଘର ଭାଙ୍ଗିଥିବା ବେଳେ ତଳିଆ ଅଚଂଳରେ ଥିବା ଲୋକେ ସ୍କୁଲ ଘରେ ଆଶ୍ରୟ ନେଇଥିବାର ଜଣାଯାଇଛି । ବନ୍ତ ବ୍ଲକର ଭଦ୍ରକ-ଆଗରପଡା ପୂର୍ତବିଭାଗ ରାସ୍ତାର କାଦବରାଙ୍ଗ ଠାରୁ ଆଡିଆ ଯାଇଥିବା ରାସ୍ତାର ବନ୍ତଳା କେନାଲ ଛକ ନିକଟରେ ତିନିଫୁଟ ଉଚ୍ଚତାରେ ପାଣି ଚାଲିଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହି ରାସ୍ତାର ବାଙ୍କତିରା ହନୁମାନ ମନ୍ଦିର ଠାରେ ପାଣି ଜମି ରହିବା ଫଳରେ ବନ୍ତଳା ଓ ବାଙ୍କତିରା ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀରେ ରହିଛନ୍ତି । ବାଙ୍କତିରାର ନାୟକ ଓ ଦାସ ସାହିରେ ପାଣି ପଶିଥିବାରୁ ଗ୍ରାମର ବାବାଜୀ ଦାସଙ୍କ ଚାଳ ଛପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଦୁର୍ଯୋଧନ ନାୟକ, ନିତ୍ୟାନନ୍ଦ ନାୟକ, ବଳରାମ ନାୟକ,ସନିଆ ନାୟକ, ଦୁଃଖହରି ଜେନା, କୃଷ୍ଣ ଦାସଙ୍କ ପରିବାର ବାଙ୍କତିରା ସ୍କୁଲରେ ଆଶ୍ରୟ ନେଇଛନ୍ତି । କାଦବରାଙ୍ଗ ପଚାଂୟତ ପକ୍ଷରୁ ନିର୍ବାହୀ ଅଧିକାରୀ ବିକାଶ ରାଉତଙ୍କ ତତ୍ୱାବଧାନରେ ସରପଞ୍ଚ ପ୍ରତିନିଧି ଭାଗିରଥୀ ସେଠୀ, ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ପହି, ସମିତିସଭ୍ୟ ପ୍ରତିନିଧି ଆଦିତ୍ୟ ଜେନା ପ୍ରମୁଖ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତି । ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷ ବର୍ଷା ଋତୁରେ ଏହି ରାସ୍ତା ଉପରେ ନିର୍ଭର କରି ଚଳୁଥୁବା ବନ୍ତଳା, ଏରେଣ୍ଡେଇ, ବାଙ୍କତିରା, ପଦି, କୁଆଁରନ୍ଦା, ଆଡିଆ ଆଦି ଗ୍ରାମର ଲୋକେ ଦୁର୍ଦ୍ଦଶା ଭୋଗି ଆସୁଛନ୍ତି । ସେହିପରି ବନ୍ତ-ଆଗରପଡା ପୂର୍ତ ବିଭାଗ ରାସ୍ତାର କଳା ପାହାଡ ନୟନଜୋରୀଟି ପୋତି ହୋଇଯାଇଥିବାରୁ ଦାସ ସାହିରେ ବର୍ଷା ଜଳ ଜମି କୁମୁଦୁନୀ ଦାସ, ପିତବାସ ଦାସ, ଗୟାଧର ଦାସ, ଗୌରାଙ୍ଗ ଦାସ ପ୍ରମୁଖଙ୍କ କଚ୍ଚା ଘରେ ପାଣି ପଶିବାରୁ ଗ୍ରାମର ସମାଜସେବୀ ଧରଣୀ ଧର ସାମଲ ଜେସିବି ମେସିନ ସାହାର୍ଯ୍ୟରେ ନୟନଜୋରୀକୁ ସଫା କରିବା ପରେ ଜଳସ୍ତର କମିଛି । ଅନ୍ୟପକ୍ଷରେ ଆଡିଆ ପଚାଂୟତ ପନ୍ଦାଡୋ ଗ୍ରାମର ସନାତନ ଦେହୁରୀ ଓ ସୁବାଷ ଦାସଙ୍କ ଘର ଭାଙ୍ଗିଥିବା ବେଳେ ଗୋପିନାଥପୁର ପଚାଂୟତରେ ଥିବା ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରରେ ପାଣି ଜମି ରହିବାରୁ ପୂଜା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ପଣ୍ଡିତ ମଦନମୋହନ ଦାଶ ଜଣାଇଛନ୍ତି । ଏତଦଭିନ୍ନ କପାଳୀ ଓ ସରୁସାଗର ନଦୀରେ ବଢି ପାଣି ଆସିବା ଯୋଗୁ ପାନପଦୀ,ରାମଚନ୍ଦ୍ରପୁର, ଭୁବନେଶ୍ୱରପୁର ଶାସନ,ଶାଳକଣିଆ,ଟିଲୋ, ଦେବତାଗଢିଆ ଆଦି ଗ୍ରାମର ଲୋକେ ଯାତାୟତ ନେଇ ନାନା ଅସୁବିଧା ଭୋଗ କରୁ ଆସୁଥିବା ବେଳେ ଅନେକ ସ୍ଥାନରେ ମାଟି କାନ୍ଥ ଓ ଗଛ ଭାଙ୍ଗି ଥିବାର ଦେଖାଯାଇଛି ।