Odiapua.com

ବର୍ଷାଦିନ ଆସିଲା ନାଳ ଖୋଳା ସରିଲାନି : ଭଦ୍ରକ ସହର ବନ୍ୟାରେ ଭାସିବ

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ବର୍ଷାଦିନ ଆସିଲା, ହେଲେ ସହରରେ ଏଯାଏ ନାଳଖୋଳା ସରିଲାନି । ଅବ୍ୟବସ୍ଥିତ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁଁ ବର୍ଷାରେ ଭାସିବ ସହର । ଭଦ୍ରକ ସହରର ପ୍ରମୁଖ ଜଳ ନିଷ୍କାସନ ନାଳ ଗୁଡିକ ଏବେ ଅକାମୀ ହୋଇ ପଡିରହିଥିବାବେଳେ ବର୍ଷବର୍ଷ ଧରି ଡ୍ରେନେଜ୍ ଡିଭିଜନ ଜରିଆରେ ସହରରେ ନାଳଖୋଳା ଚାଲିଛି । ସବୁଠାରୁ ବଡକଥା ହେଲା ଖରାଦିନରେ ବିଭାଗ ଶୋଇରହିଥିବାବେଳେ ବର୍ଷାଦିନ ଆସିଲେ ବିଭାଗ ନାଳଖୋଳାକୁ ନେଇ ତତ୍ପର ହୋଇ ଉଠିଛନ୍ତି । ପ୍ରୋକଲିନ୍ ଲଗାଇ ନାଳ ଖନନ କରିବା ସହିତ ବର୍ଷାରେ ଚାଲିଛି ନାଳର କଂକ୍ରିଟ୍‌କରଣ । ଫଳରେ ସହରର ରାସ୍ତାଘାଟ ଏବେ ମାଟିକାଦୁଅ ପରିପୂର୍ଣ୍ଣ ହୋଇ ଉଠିଥିବାବେଳେ ନାଳ ଖନନର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ଉଠିଛି । ଭଦ୍ରକ ସହରରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲାଗି ଗତ ୨୦୧୫ ମସିହାରେ ଭଦ୍ରକ ଡ୍ରେନେଜ୍ ଡିଭିଜନ ଜରିଆରେ ଆରମ୍ଭ ହୋଇଥିଲା ଡ୍ରେନ୍ ଖୋଳା । ତିନି ପର୍ଯ୍ୟାୟ ଡ୍ରେନ୍ ଖୋଳା ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୧୧ କୋଟି ଟଙ୍କା ମଂଜୁର କରାଯାଇଥିଲା । ଏଥିରେ ଭଦ୍ରକ ପୌରାଞ୍ଚଳରେ ଥିବା ପ୍ରାୟ ୩୦ କିମି ଦୀର୍ଘ୍ୟ ନାଳ ଖନନ ଏବଂ ଏହାର କଂକ୍ରିଟ୍‌କରଣ ପାଇଁ ଟେଣ୍ଡର କରାଯାଇଥିଲା । ଏଥିରେ ଏନଏଚ୍ ୧୬ ରୁ ସାହାପୁର, ନେହେରୁ ଷ୍ଟାଡିୟମ୍ ଠାରୁ ବନ୍ତ ଛକ, ଏଲଖା ଠାରୁ ସାତଭଉଣୀ, ଡଗମୁଣ୍ଡ ଠାରୁ ଏନଏଚ୍ ୧୬, କାଳୀ ମନ୍ଦିର ଠାରୁ ରାଜଘାଟ ଏବଂ ସହରର ମୁଖ୍ୟ ଜଳ ନିଷ୍କାସନ ନାଳ ନାଜର ନଳାର କିଛି ଅଂଶକୁ ସାମିଲ କରାଯାଇଥିଲା । ଗତ ୨୦୧୫/୧୬ ବର୍ଷରେ ପ୍ରାୟ ୨୫ କିମି ଦୂରତାରେ କେବଳ ନାଳ ଖନନ ପାଇଁ ସରକାରଙ୍କ ପକ୍ଷରୁ ୧ କୋଟି ୪୪ ଲକ୍ଷ ୯୯ ହଜାର ଟଙ୍କା ମଂଜୁର କରାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨ କିମି ୭୨୧ ନାଳର କଂକ୍ରିଟକରଣ ପାଇଁ ୫ କୋଟି ୨୩ ଲକ୍ଷ ୯୭ ହଜାର ଟଙ୍କା ଏବଂ ଶେଷ ପର୍ଯ୍ୟାୟରେ ନାଜର ନାଳର ୧ କିମି ୪ ଶହ ମିଟର ପାଇଁ ୩ କୋଟି ୩୨ ଲକ୍ଷ ୮୬ ହଜାର ଟଙ୍କା ମଂଜୁର କରାଯାଇଥିଲା ।

 

 

ଆର୍ଥିକ ଅନୁଦାନ ମିଳିବା ପରେ ଡ୍ରେନେଜ୍ ଡିଭିଜନ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ମଧ୍ୟ ଯୋଗାଇ ଦିଆଯାଇଥିଲା । ହେଲେ କାର୍ଯ୍ୟାଦେଶ ଜାରି ହେବାର ଇତିମଧ୍ୟରେ ୫ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ସରୁନାହିଁ ନାଳଖୋଳା ଏବଂ ଏହାର କଂକ୍ରିଟ୍ କରଣ । ତେଣେ ଖରାଦିନ ତମାମ୍ କର୍ତ୍ତୃପକ୍ଷ କାମ ବନ୍ଦ କରିଦେଇ ଏବେ ବର୍ଷାଦିନରେ ଚଳାଇଛନ୍ତି । ନାଳ ଖୋଳା ଏବଂ ଏହାର କଂକ୍ରିଟ୍ କରଣ । ଫଳରେ ବନ୍ୟା ପରିସ୍ଥିତି କଥା ପଛକୁ ଥାଉ ସାମାନ୍ୟ ବର୍ଷା ହେଲେ ସହରରେ ବର୍ଷାଜଳ ନିଷ୍କାସିତ ହୋଇନପାରି ଭଦ୍ରକ ସହରକୁ ବନ୍ୟାପ୍ଲାବିତ କରିବା ନିଶ୍ଚିତ ମନେ କରାଯାଉଛି । ଅନ୍ୟପକ୍ଷରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ ହେଉନଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିନେଇ ସାମାନ୍ୟତମ ବ୍ୟସ୍ତତା ପ୍ରକଟ କରୁନାହାଁନ୍ତି । ଫଳରେ କାମ ନେଇଥିବା ଠିକାଦାରମାନେ ସେମାନଙ୍କ ଇଚ୍ଛାମତେ କାମ କରୁଛନ୍ତି । ଫଳରେ ମାତ୍ର ୮/୧୦ ମାସ ଭିତରେ କାମ ସଂପୂର୍ଣ୍ଣ କରିବାକୁ ଚୁକ୍ତିବଦ୍ଧ ହେଉଥିବା ଠିକାଦାରମାନେ ବର୍ଷ ବର୍ଷ ଧରି କାମ ପକାଇ ରଖିଛନ୍ତି । ଯାହାଫଳରେ ସହରବାସୀଙ୍କୁ ସମସ୍ୟା ଭୋଗିବାକୁ ପଡୁଛି ।