Odiapua.com

ବର୍ଷକ ମଧ୍ୟରେ ସମ୍ବଲପୁର ରେଳମଣ୍ଡଳ ବହୁ କୀର୍ତ୍ତିମାନ ସ୍ଥାପନ କରିଛି : ମଣ୍ଡଳ ରେଳ ପ୍ରବନ୍ଧକ

ସମ୍ବଲପୁର, ୧୩/୬ – (ଓଡ଼ିଆ ପୁଅ) ସମ୍ବଲପୁର ରେଳମଣ୍ଡଳ ସର୍ବଭାରତୀୟ ରେଳବାଇ ମାନଚିତ୍ରରେ ଏକ ସମ୍ଭାବନାର କ୍ଷେତ୍ର ହୋଇଥିବା ବେଳେ ଗତ ବର୍ଷକ ମଧ୍ୟରେ ରେଳଲାଇନର ଦୋହରୀକରଣ, ବିଦ୍ୟୁତକରଣ, ଯାତ୍ରୀ ସୁବିଧାରେ ପ୍ରଗତି ତଥା ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ମଣ୍ଡଳ ରେଳକର୍ମଚାରୀ ମାନଙ୍କର ସମର୍ପିତ କର୍ମଠ ଯୋଗଦାନ ଯୋଗୁଁ ସମ୍ଭବପର ହୋଇଛି ତଥା ସମ୍ବଲପୁର ମଣ୍ଡଳ ଅନେକ ପୁରସ୍କାର ହାସଲ କରି ଏହାର ସ୍ୱୀକୃତି ମଧ୍ୟ ପ୍ରାପ୍ତ କରିଥିବା ମଣ୍ଡଳ ରେଳ ଅଧିକ୍ଷକ ଡ. ଜୟଦୀପ ଗୁପ୍ତା କହିଛନ୍ତି। ୬୪ତମ ରେଳ ସପ୍ତାହ ପାଳନ ଅବସରରେ ମଣ୍ଡଳସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡା. ଗୁପ୍ତା କହିଲେ ଯେ, ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବହୁ ସମୟରେ ରେଳ ଚଳାଚଳରେ କଟକଣା ସତ୍ତ୍ୱେ ବିଗତ ବର୍ଷ ତୁଳନାରେ ଗତବର୍ଷ ମାଲ ପରିବହନ କ୍ଷେତ୍ରରେ ୧୪.୭ ଶତାଂଶ ପ୍ରଗତି ହାସଲ କରିଛି। ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ୬ ଶତାଂଶ ଅଭିବୃଦ୍ଧି ପ୍ରାପ୍ତ କରିଛି। ମଣ୍ଡଳର ଆୟ କ୍ଷେତ୍ରରେ ମଧ୍ୟ ୨୪.୨ ଶତାଂଶ ଅଭିବୃଦ୍ଧି ହାସଲ କରାଯାଇ ପାରିଛି। ୧୫.୫୮୦ କିମି ବଲାଙ୍ଗିର – ବିଛୁପାଲି ନୂଆ ରେଳଲାଇନ ସ୍ଥାପନ କରାଯାଇଥିବା ବେଳେ ଗତ ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ ଘାଟନ କରିଛନ୍ତି। ତିନୋଟି ଟ୍ରେନର ର୍ୟାକକୁ ମିଶାଇ ୧୪୮ଟି ବଗି ସଂଯୁକ୍ତ ଏକ ମାଲଗାଡ଼ି ୪ ଘଣ୍ଟା ୧୫ ମିନିଟରେ ୧୪୧ କିଲୋମିଟର ଯାତ୍ରା କରି ୨୫.୨.୨୦୧୯ରେ ରେକର୍ଡ଼ ସୃଷ୍ଟି କରିଛି। ୯୨.୮୧୯ କିମି ଦୋହରା ଲାଇନ ବିଛାଇ ମଣ୍ଡଳ କୃତୀତ୍ୱ ହାସଲ କରିଥିବା ବେଳେ ମାତ୍ର ୪ ଘଣ୍ଟା ଭିତରେ ୭ଟି ଜଗୁଆଳୀ ବିହୀନ ଫାଟକକୁ ଉଚ୍ଛେଦ କରି ୬ଟି ଏଲଏଚଏସ ସ୍ଥାପନ କରି ରେକର୍ଡ଼ ସ୍ଥାପନ କରିଛି। ସମ୍ବଲପୁର ରେଳମଣ୍ଡଳରୁ ସମ୍ପୂର୍ଣ୍ଣ ଭାବେ ଜଗୁଆଳୀ ବିହୀନ ଫାଟକକୁ ଉଚ୍ଛେଦ କରାଯାଇଛି। ସେହିଭଳି ଯାତ୍ରୀ ସୁବିଧା ଏବଂ ଟ୍ରେନ ଚଳାଚଳ ସଂକ୍ରାନ୍ତ ନିରାପତ୍ତା ଦିଗରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି। ସମ୍ବଲପୁର-ପୁରୀ ଇଣ୍ଟରସିଟୀ ଏକ୍ସପ୍ରେସ ଟ୍ରେନର ଉନ୍ନତୀକରଣ କରାଯାଇଥିବା ବେଳେ ବିଭିନ୍ନ ଷ୍ଟେସନରେ ମାଗଣା ୱାଇଫାଇ ସେବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ମଧ୍ୟ ଦ୍ରୁତ ଉନ୍ନୟନ କାର୍ଯ୍ୟ ଜାରି ରହିବ ଏବଂ ସମ୍ବଲପୁର ରେଳ ମଣ୍ଡଳକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ଡା. ଗୁପ୍ତା କହିଛନ୍ତି। ଉତ୍ସବ ଅବସରରେ ଉକ୍ରୃଷ୍ଟ ସେବା ନିମନ୍ତେ ସେ ବିିଭିନ୍ନ ବିଭାଗର ୧୧୩ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଏଲ.ବି. ଏସ.ଏସ. ପାତ୍ରୁଡ଼ୁ ମଧ୍ୟ ଉଦ୍ ବୋଧନ ଦେଇ ମଣ୍ଡଳ ଦ୍ୱାରା ହାସଲ କରାଯାଇଥିବା ସଫଳତା ବାବଦରେ ଉଲ୍ଲେଖ କରିଥିବା ବେଳେ ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ରାସବିହାରୀ ଜେନା ମଧ୍ୟ ବକ୍ତବ୍ୟ ରଖିଥିଲେ। ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ସମ୍ବଲପୁରର ଅଧ୍ୟକ୍ଷା ଶ୍ରୀମତୀ ମୋନିକା ଗୁପ୍ତା ଓ ଅନ୍ୟମାନେ ମଧ୍ୟ ଯୋଗଦେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।