Odiapua.com

ବର୍ଷକୁ ୧୦ ହଜାର ଲୋକ କୁକୁର କାମୁଡାରେ ଶିକାର : ସରକାରୀ ଇଞ୍ଜେକସନ ପର୍ଯ୍ୟାପ୍ତ ନୁହେଁ

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବର୍ଷକୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ କେବଳ ବୁଲା କୁକୁର କାମୁଡାରେ ଶୀକାର ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ଡାକ୍ତରଖାନା ଜରିଆରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରୁଥିବାବେଳେ ଆଉ କେତେକ ବେସରକାରୀ ଚିକିତ୍ସା ଓ ଝଡାଫୁଙ୍କା ଜରିଆରେ ଭଲ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଆଦି ଜିଲାର ବହୁ କୁକୁର କାମୁଡା ରୋଗୀ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି । ଫଳରେ ଏଠାରେ ମାସିକ ପ୍ରାୟ ୪ ହଜାର ଲୋକ କେବଳ କୁକୁର କାମୁଡା ଇଂଜେକ୍ସନ ନେଉଛନ୍ତି । ଡାକ୍ତରଖାନା ସୂଚନା ଅନୁଯାୟୀ ଜିଲାରେ କୁକୁର କାମୁଡା ରୋଗୀଙ୍କ ସଂଖ୍ୟା ବାର୍ଷିକ ପ୍ରାୟ ୧୦ ରୁ ୧୫ ପ୍ରତିଶତ ବୃଦ୍ଧି ଘଟୁଛି । ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଜିଲା ତଥା ସହରରେ ବୃଦ୍ଧି ପାଉଥିବା ବୁଲା କୁକୁରକୁ ମୁଖ୍ୟତଃ ଦୋଷ ଦେଇଛନ୍ତି । ବିଶେଷକରି ପ୍ରଜନନ ସମୟରେ କୁକୁରମାନେ ଅଧିକ ହ୍ରିଂସ ହୋଇପଡନ୍ତି । ଏତିକିବେଳେ କୁକୁର କାମୁଡା ରୋଗୀଙ୍କ ସଂଖ୍ୟା ଅସମ୍ଭବ ଭାବେ ବୃଦ୍ଧି ପାଏ । ଭଦ୍ରକ ସହର ଏବଂ ଜିଲାରେ କୁକୁରକାମୁଡାର ଭୟାବହତାକୁ ଆଖିରେ ରଖି ଗତ ପ୍ରାୟ ୨ ବର୍ଷ ତଳେ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଜିଲା ପଶୁ ଚିକିତ୍ସାଳୟ ପରିସରରେ ଏକ ବନ୍ଧ୍ୟାକରଣ କେନ୍ଦ୍ର ଖୋଲିବାକୁ କୁହାଯାଇଥିଲା । ସ୍ଥାନାଭାବ ଦର୍ଶାଇ ଜିଲା ପଶୁ ଚିକିତ୍ସାଳୟକ ପକ୍ଷରୁ ଏଠାରେ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମନାକରି ଦିଆଯାଇଥିଲା । ପରେ ଏହାକୁ ୧୬ନଂ ଜାତୀୟ ରାଜପଥ ପାଖରେ ଥିବା ବହୁଦରଡା ନିକଟରେ କରିବାକୁ ପ୍ରସ୍ତାବ କରାଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି କେବଳ ଆଲୋଚନା ଏବଂ ପ୍ରସ୍ତାବରେ ସୀମିତ ରହିଛି । ଅନ୍ୟପଟେ କୁକୁର କାମୁଡାରେ ବେଶୀ ଶୀକାର ହେଉଛନ୍ତି । ସରକାରୀ ଭାବେ ଜିଲାରେ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମାସକୁ ୩୦ ରୁ ୪୦ କୁକୁର କାମୁଡା ରୋଗୀ ଆସୁଥିଲାବେଳେ ଏହି ସିଏଚ୍‌ସିରେ ଇଞ୍ଜେକସନ ମିଳୁନି । ଏବେ କୁକୁର କାମୁଡା ସହ ମାଙ୍କଡ କାମୁଡା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ତେଣୁ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକସନ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଭାବେ ରଖାଯିବାକୁ ଦାବି ହେଉଛି ।