Odiapua.com

ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ସମେତ ୧୨ଦଫା ଦାବିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

ଅନୁଗୋଳ,୨୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଦୃଢ଼ ବିରୋଧ କରିଛି ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) । ଏଥିସହିତ ସମସ୍ତ କରୋନା ରୋଗୀମାନଙ୍କର ଉପଯୁକ୍ତ ଚିକିତ୍ସାର ଦାୟିତ୍ୱ ସରକାର ବହନ କରିବା ସହ ସରକାରୀ ଉଦ୍ୟୋଗରେ ‘ସେଫ୍ ହୋମ୍‌’ର ବ୍ୟବସ୍ଥା କରିବା ଏବଂ ଅଣକରୋନା ରୋଗୀମାନଙ୍କର ଚିକିତ୍ସାର ଅବ୍ୟବସ୍ଥା ଦୂର କରିବା, ପ୍ରବାସୀ ଶ୍ରମିକମାନଙ୍କୁ ବର୍ଷତମାମ ମନରେଗା ମାଧ୍ୟମରେ ଦୈନିକ ସର୍ବନିମ୍ନ ୬୦୦ଟଙ୍କା ମଜୁରୀ ଦେଇ କାମ ଯୋଗାଇଦେବା, ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ପଞ୍ଜିକରଣ କରି ସେମାନଙ୍କର ଜୀବନ ଜୀବିକାର ସୁରକ୍ଷା ସୁନିଶ୍ଚିତ କରିବା, ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ଅଭାବୀ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଦେବା, କୃଷି ବିଲ୍ ୨୦୨୦ ବାତିଲ କରିବା, ବିଶ୍ୱବିଦ୍ୟାଳୟ ସ୍ୱାୟତତା ସଂଶୋଧନ ଅଧ୍ୟାଦେଶ ବାତିଲ କରିବା ଓ ଜନବିରୋଧୀ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରତ୍ୟାହାର କରି ଗଣତାନ୍ତ୍ରିକ, ବିଜ୍ଞାନସମ୍ମତ ଓ ଧର୍ମନିରପେକ୍ଷ ଶିକ୍ଷାନୀତି ଚାଲୁ କରିବା,ରେଳ,କୋଇଲା ସମେତ ରାଷ୍ଟ୍ରାୟ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ନିଯୁକ୍ତି କ୍ଷେତ୍ରରେ କଟକଣା ବାତିଲ କରି ଖାଲି ପଡିଥିବା ସମସ୍ତ ସରକାରୀ ପଦବୀଗୁଡିକରେ ସ୍ଥାୟୀ ଭିତିରେ ନିଯୁକ୍ତି ପ୍ରଦାନ କରିବା, ଜନବିରୋଧୀ ୨୦୨୦ ବିଦ୍ୟୁତ୍ ସଂଶୋଧନ ଆଇନ ବାତିଲ କରିବା, ପ୍ରିପେଡ୍ ମିଟର ବ୍ୟବସ୍ଥା ପ୍ରଚଳନ କରି ଉପଭୋକ୍ତାମାନଙ୍କୁ ହଇରାଣ ଓ ଶୋଷଣ କରିବା ବନ୍ଦ କରିବା, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ଶିଳ୍କ ଆଦାୟ ବନ୍ଦ କରିବା, ଅନୁଗୁଳ ସହରଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ଆର୍‌.ଟି.ଓ. ଅଫିସ୍ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାକୁ ତୁରନ୍ତ ଉନ୍ନତ ମାନର ନିର୍ମାଣ କରିବା ଆଦି ଦାବି ୧୨ଦଫା ଦାବିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ପକ୍ଷରୁ ଦାବି ସପ୍ତାହ ପାଳନ ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲାରେ ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କୋଭିଡ୍ ଗାଇଡଲାଇନ୍ ପାଳନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେଠାରେ ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଜୟସେନ ମେହେର, ତୀର୍ଥବାସୀ ଭୋଇ, ମାନସ ପାଳ, କୈଳାସ ସାହୁ, ରଣଜିତ ପ୍ରଧାନ, ମାନସୀ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କର ମହାମାରୀ କରୋନା ସଂକଟ ସମୟରେ ଗ୍ରହଣ କରିଚାଲିଥିବା ଜନବିରୋଧୀ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ଏଥିସହିତ ରାଜ୍ୟ ସରକାରଙ୍କର ବିଦ୍ୟୁତ୍ ବିତରକ କମ୍ପାନୀମାନଙ୍କ ସ୍ୱାର୍ଥରେ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମ୍ମରେ ଜିଲ୍ଲା କମିଟି ସଭ୍ୟ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ସୁବାସ ପ୍ରଧାନ, ମନ୍ଦୋଦରୀ ରାଉଳ, ସଞ୍ଜୟ ସାହୁ, ପରମାନନ୍ଦ ସାହୁ ପ୍ରମୁଖଙ୍କ ସମେତ ବହୁ କର୍ମୀ, ସମର୍ଥକ ସାମିଲ ହୋଇଥିଲେ ।