Odiapua.com

ବର୍ତ୍ତମାନ ସୁଧା ରଥଖଳାରେ ୨୯ ଟି ଚକ ନିର୍ମାଣ ଶେଷ ହୋଇଛି

ପୁରୀ, ୨୨/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ୩ ଟି ରଥର ୪୨ ଟି ଚକ ମଧ୍ୟରୁ ବର୍ତମାନ ସୁଧା ୨୯ ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅବଶିଷ୍ଟ ଚକ ଗୁଡିକର ନର୍ମାଣ କାର୍ଯ୍ୟ ଚାଲୁ ରହିଛି। ଶେଷ ହୋଇଥିବା ଚକ ଗୁଡିକରେ ୧ ଟି ବିଲେଇ ବାଡିଆ ଚାଲିଥିବା ବେଳେ ୧ ଟିର ପଇଥ କାର୍ଯ୍ୟ ଚାଲିଛି। ତାଳଧ୍ୱଜ ରଥର ମୋଟ ୧୬ ଟି ଜୋଖା ମଧ୍ୟରୁ ୧୨ ଗୋଟି ଜୋଖା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ୪ ଟିର କାର୍ଯ୍ୟ ଚାଲିଛି। ଦେବଦଳନ ରଥର ମୋଟ ୧୨ଟି ଜୋଖା ମଧ୍ୟରୁ ୧୧ ଗୋଟିର କାର୍ଯ୍ୟ ଶେଷ ହୋଇ ଏବେ ଗୋଟିକର କାର୍ଯ୍ୟ ଚାଲିଛି। ନନ୍ଦିଘୋଷ ରଥର ମୋଟ ୧୬ ଟି ଜୋଖା ମଧ୍ୟରୁ ୧୩ ଟି ସଂପୂର୍ଣ୍ଣ ହୋଇଥିବାବେଳେ ୩ଟି ତିଆରି ଚାଲିଛି। ୩ ରଥର ୯ ଟି ଲେଖାଏଁ ଜଳଜନ୍ତ୍ର ଶେଷ ହୋଇଛି। ୩ ରଥର ୨ ଟି ଲେଖାଏଁ ସାନ ଉଛଳା ଅଖ ସଂପୂର୍ଣ୍ଣ ହୋଇଅଛି। ଏଥିସହ ୩ ରଥର ଗୋଟିଏ ଲେଖାଏଁ ଚକ ଅଖ ସଂପୂର୍ଣ୍ଣ ହୋଇଯାଇଛି। ୩ ରଥର ୩ ଟି ଲେଖାଏଁ ଅଖର କାର୍ଯ୍ୟ ଚାଲୁ ଅଛି। ୩ ରଥର ୪ ନାହା କାଠ ରଥଖଳା ରେ ପହଂଚିଯାଇଛି। ଆଜି ଠାରୁ କାର୍ଯ୍ୟ ହେବାକୁ ସ୍ଥିର ହୋଇଛି। ରୁପକାର ଙ୍କ ଦ୍ୱାରା ତାଳଧ୍ୱଜ ରଥର ୮ ଟି ଗୁଜ ଖୋଳା ହୋଇଥିବା ବେଳେ ୮ ଟିର କାମ ଚାଲିଛି। ଦେବଦଳନ ରଥର ୧୨ ଟି ଗୁଜରୁ ୬ଟି ଶେଷ ହୋଇ ୫ ଟି ର ଦୁଇପାର୍ଶ୍ୱ ଖୋଦେଇ କାମ ଚାଲିଛି ଏବଂ ଗୋଟିକର ଏକ ପାର୍ଶ୍ୱ କାମ ସରିଛି। ନନ୍ଦିଘୋଷ ରଥର ୧୬ ଟି ଗୁଜ ମଧ୍ୟରୁ ୮ଟି ଶେଷ ହୋଇଥିବା ବେଳେ ୩ ଟିର ଖୋଦେଇ କାମ ସହ ତାର ଅଜର କାମ ଚାଲୁରହିଛି। ଦୋଳବେଦୀରେ କରତି କାମ ସେବକଙ୍କ ଗୟଳ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥନିର୍ମାଣରେ ସଂପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଙ୍ଗ ଦୈନଦିନ ପରି କରାଯାଇଥିଲା। ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି।