Odiapua.com

ବର୍ଗାକାର ଫାଶ ଜାଲ ବ୍ୟବହାର ପାଇଁ ମତ୍ସ୍ୟଜିବୀଙ୍କୁ ତାଲିମ ଶିବିର

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମୁଦ୍ରରେ ମାଛ ଧରିବା ପାଇଁ ବର୍ଗାକାର ଜାଲ ବ୍ୟବହାର କରିବା ପାଇଁ ଧାମରାରେ ଥିବା ମତ୍ସ୍ୟଜିବୀ ମାନଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପାରାଦ୍ୱୀପ ବନ୍ଦର ଆର୍ଥିକ ସହାୟତାରେ ନେଟଫିସ(ଏମପିଇଡିଏ)ର ଦକ୍ଷ ପ୍ରଶିକ୍ଷକଙ୍କ ଦ୍ୱାରା ଧାମରା ଜେଟ୍ଟୀରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ବର୍ଗାକାର ଫାଶ ଜାଲ ବ୍ୟତୀତ ଅନ୍ୟ ଜାଲ ବ୍ୟବହାର କରିବା ଦ୍ୱାରା ଅସଂଖ୍ୟ ପରିମାଣର ଜାଆଁଳ ଜାଲରେ ପଡି ନଷ୍ଟ ହୋଇଥାନ୍ତି ଫଳରେ ଦିନକୁ ଦିନ ସମୁଦ୍ରରେ ଜାଆଁଳ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ଫଳରେ ସମୁଦ୍ରରେ ଦିନକୁ ଦିନ ମାଛ ଉତ୍ପାଦନ ହ୍ରାସ ପାଉଛି ବୋଲି ବିଶେଷଞ୍ଜ ମାନେ ମତ ରଖିଥିଲେ। ଏଥିପାଇଁ ସମୁଦ୍ରକୁ ବ୍ୟବହାର କରି ନିଜର ଗୁଜରାଣ ମେଂଟାଉଥିବା ମତ୍ସ୍ୟଜିବୀ ମାନେ ବର୍ଗାକାର ଜାଲ ବ୍ୟବହାର କରିବା ଜରୁରୀ ବୋଲି ନେଟଫିସ(ଏମପିଇଡିଏ)ର ପ୍ରଶିକ୍ଷକ ମାନେ ମତପୋଷଣ କରିଥିଲେ। ଧାମରା ଅଂଚଳରେ ଥିବା ଟ୍ରଲର ମାଲିକ ମାନଙ୍କୁ ପାରାଦ୍ୱୀପ ବନ୍ଦର ଆର୍ଥିକ ସହାୟତାରୁ ବର୍ଗାକାର ଫାଶ ଜାଲ ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ଆଗାମୀ ଦିନ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ସହ ଆଗାମୀ ଦିନରେ ସମୁଦ୍ର ମଧ୍ୟରେ ବିଭିନ୍ନ ପ୍ରଜାତିର ମାଛ ମାନଙ୍କ ସଂଖ୍ୟା ବଢି ପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ଆଜିର ଏହି ପ୍ରଶିକ୍ଷଣ ଶିବିରରେ ଧାମରା ମତ୍ସ୍ୟଜିବୀ ସଂଘର ସଭାପତି ଅଶୋକ କୁମାର ଜାନା, ସଂପାଦକ ସୁଦର୍ଶନ ଲେଙ୍କା ଙ୍କ ସମେତ ବହୁ ଟ୍ରଲର ଚାଳକ ମାନେ ଉପସ୍ଥିତ ରହି ନେଟ ଫିସର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ସମସ୍ତ ମତ୍ସ୍ୟଜିବୀ ମାନଙ୍କୁ ସଚେତନ କରାଇପାରିଲେ ବର୍ଗାକାର ଜାଲର ବହୁଳ ବ୍ୟବହାର ହୋଇ ପାରିବ ବୋଲି ଉପସ୍ଥିତ ଟ୍ରଲର ଚାଳକ ମାନେ ମତ ରଖିଥିଲେ।