Odiapua.com

ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦଙ୍କ ବିୟୋଗରେ ନଲେଜ ସେଣ୍ଟରରେ ଶୋକସଭା

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ସୋମବାର ପରଲୋକ ଘଟିଛି । ତାଙ୍କ ବିୟୋଗରେ ଭଦ୍ରକ ଅଗ୍ରଣୀ ଖବର କାଗଜ ମୁଖ୍ୟ ବିତରକ ‘ନଲେଜ ସେଟଂର’ମୁଖ୍ୟ ସେଖ ଆସିଫ ଅଲ୍ଲିଙ୍କ ଆବାହକତ୍ୱରେ ଏକ ଶୋକସଭା ନଲେଜ ସେଟଂର ପ୍ରାଙ୍ଗଣରେ ଆଜି ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସ୍ୱର୍ଗତଃ ଜେନାଙ୍କ ବିୟୋଗରେ ତାଙ୍କ ଅମରରାତ୍ମାର ସଦଗତି ପାଇଁ ନଲେଜ ସେଟଂର ହକ୍କର ପରିବାର ସଦସ୍ୟମାନେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ନଲେଜ ସେଟଂର ମୁଖ୍ୟ ସେଖ ଆସିଫ ଅଲ୍ଲି ତାଙ୍କ ସ୍ମୃତିଚାରଣ ବକ୍ତବ୍ୟରେ କୋହଭରା କଣ୍ଠରେ କହିଥିଲେ ଯେ : ୧୯୮୪ରେ ୨ଟି ଓଡିଆ ପ୍ରମୁଖ ଖବର କାଗଜ ର ଏଜେନ୍ସି ନେବାରେ ସ୍ୱର୍ଗତ ଭଜ ବାବୁଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ । ସେ କେବଳ ଜଣେ ସଚ୍ଚୋଟ ସାମ୍ବାଦିକ ନଥିଲେ ବରଂ ଜଣେ ପରୋପକାରୀ, ମେଳାପୀ ଓ ସମସ୍ତଙ୍କ ପ୍ରିୟଭାଜନ ଥିଲେ ବୋଲି ଶ୍ରୀ ଅଲ୍ଲି ତାଙ୍କ ସ୍ମୃତିଚାରଣ ବକ୍ତବ୍ୟରେ କହିଥିଲେ । ଏଥିସହ ମନମୋହନ ସଙ୍ଗୀତ ପରିଷଦ ର ଶେଷ ପର୍ଯ୍ୟନ୍ତ ସମ୍ପାଦକ ଦାୟିତ୍ୱକୁ ସୂଚାରୂଭାବେ ତୁଲାଇ ଥିଲେ । ପ୍ରଗତିବାଦୀ, ସମ୍ବାଦ, ଓଡିଶା ଭାସ୍କର ଭଳି ଖବର କାଗଜରେ ସାମ୍ବାଦିକତା କରି ଗତ ୭ବର୍ଷ ହେବ ନିର୍ଭୟରେ ଜଣେ ଦକ୍ଷ, କର୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟ ତୁଲାଇ ସେ ସବୁଦିନେ ସ୍ମରଣୀୟ ହୋଇ ରହିବେ ବୋଲି ସ୍ମୃତିଚାରଣ କରି ବକ୍ତାମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ-ହରେକୃଷ୍ଣ ଦାସ, ରାଜେନ୍ଦ୍ର ପରିଡା, ପ୍ରଭାତ ମହାନ୍ତି, ଶିବଶଙ୍କର ବେହେରା, ରାଜେଶ ବିଶ୍ୱାଳ, ଅନିତ୍ୟ ନାୟକ, ହିମାଂଶୁ ନାୟକ, ତପନ ସାମଲ, ଦୀପକ ସାମଲ, ଅଜୟ ସାହୁ, ଶଶୀକାନ୍ତ ତ୍ରିପାଠୀ, ଶ୍ୟାମସୁନ୍ଦର ସାହୁ, ଲକ୍ଷ୍ମୀଧର ଜେନା, ଟୁକୁ ନାୟକ, କପିଳ ବେହେରା ଓ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶୋକସଭାରେ ସଂଯୋଜକ ଭାବେ ଶେଖ ଅନୱାର(ବାବୁ)ଦାୟିତ୍ୱ ତୁଲାଇଥିଲେ ।