ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରର ବରିଷ୍ଠ ସାମ୍ବାଦିକ, ଏସ ୟୁ ଯେ ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ ଓ ତାଙ୍କ ପତ୍ନୀ ତିଳତୋମା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।ଉଭୟ ଏବେ କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।ବୁଧବାର ରାତିରେ ସାମ୍ବାଦିକ ବାସୁଦେବ ତ୍ରିପାଠୀ(୬୭) ଏବଂ ପତ୍ନୀ ତିଳତୋମା(୫୮) ଏକ କାର (ନଂ ଓଡ଼ି-୨୨ଏବି-୯୭୭୭) ଯୋଗେ ବାଲେଶ୍ୱର ଅଂଚଳରୁ ଫେରୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ମଇତାପୁର ନିକଟରେ କାର ଏକ ଟ୍ରଲର ସହିତ ଦ୍ରୁତଗତିରେ ଧକ୍କା ହୋଇଥିଲା।କାର ଚଳାଉଥିବା ଧାମନଗର ଦକ୍ଷିଣବାଡ଼ ଯୁବ ସାମାଜିକ କର୍ମୀ ରାଜେଶ ବେହେରାଙ୍କ ସମେତ ବାସୁଦେବ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ।ସେମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଉଭୟଙ୍କ ମୁଣ୍ଡ ଆଖି ଛାତି ହାତ ଗୋଡ଼ ଆଦିରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଖବରପାଇ ପରିବାର ଲୋକଙ୍କ ସମେତ ଧାମନଗର ଏବଂ ଭଦ୍ରକ ଅଂଚଳର ଅନେକ ସାମ୍ବାଦିକ ସମାଜସେବୀ ରାଜନୈତିକ ଦଳର ନେତା ମେଡ଼ିକାଲରେ ପହଂଚିଥିଲେ। ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏସୟୁଯେ ରାଜ୍ୟ ସଭାପତି କୈଳାସ ନାୟକ, ଓଡ଼ିଶା ସାମ୍ବାଦିକ ୟୁନିଅନର ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକ ବାସୁଦେବ ତ୍ରିପାଠୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ଭଦ୍ରକ ଜିଲ୍ଲା ଓୟୁଜେ ପକ୍ଷରୁ କିଷାନ ରାଉତ, ପ୍ରିୟଦର୍ଶନ ବୋଇତି,ବୈକୁଣ୍ଠ ନାଥ ସାହୁ,କୃଷ୍ଣଚନ୍ଦ୍ର ଜେନା ସାମ୍ବାଦିକ ବାସୁଦେବ ତ୍ରିପାଠୀଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅବଗତ ହୋଇଛନ୍ତି। ତେବେ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ଓ ପ୍ରଚେଷ୍ଟା ପରେ ବର୍ତମାନ ଉଭୟେ ବିପଦମୁକ୍ତ ଅଛନ୍ତି ଏବଂ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଦୁଃଖଦ ଖବର ପାଇବା ପରେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ପ୍ରତାପ ଦାସ, ଦୁର୍ଗାଶଙ୍କର ବିଶ୍ୱାଳ, ରାଜେନ୍ଦ୍ର ପ୍ରସାଦ ଜେନା, ଶିବାନନ୍ଦ ଦାସ, ଉମାକଲ୍ୟାଣ ମହାପାତ୍ର, ପ୍ରଭାତ ଦାସ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ଶ୍ରୀ ତ୍ରିପାଠୀ ସବୁବେଳେ ସାମ୍ବାଦିକ ଙ୍କ ସମସ୍ୟା ରେ ସାମିଲ ହୋଇ ଥାନ୍ତି ତେବେ ତାଂକ ର ଏହି ଆକସ୍ମିକ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।