Odiapua.com

ବରିଷ୍ଠ ମାନେ ସମାଜର ମାର୍ଗଦର୍ଶକ, ପୁରୁଣାବଜାର, ଭଦ୍ରକରେ ବରିଷ୍ଠ ନାଗରିକ ସଂଘ ଗଠିତ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଙ୍କାବଜାର ଦଧିବାମନ ସ୍କୁଲ ପାଖ ରୟାଲ ମଣ୍ଡପରେ ଆନୁଷ୍ଠାନିକ ଭାବେ ଏକ ବରିଷ୍ଠ ନାଗରିକ ସଂଘ, ସଭାପତି ଡା. ହକିମୁଦ୍ଦିନ ଖାଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ନିମନ୍ତ୍ରିତ ଅତିଥି ଭାବେ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ଓ ସମ୍ପାଦକ କୈଳାସ ମହାପାତ୍ର ଯୋଗ ଦେଇଥିଲେ । ପରାମର୍ଶଦାତା କମିଟିର ସଦସ୍ୟ ଭାବେ ସୁଧାକର ରାଉତ ପ୍ରାରମ୍ଭିକ ସୂଚନା ଦେବା ସହ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ ଯାହା ସର୍ବ ସମ୍ମତ କ୍ରମେ ଗୃହୀତ ହୋଇଥିଲା । ସଭାପତି ଭାବେ ଡା. ହକିମୁଦ୍ଦିନ ଖାଁ, ଉପସଭାପତି ସେକ୍ ମେହେବୁବ୍‌, ସମ୍ପାଦକ ରାମଚନ୍ଦ୍ର କର, ସହସମ୍ପାଦକ ଳକ୍ଷ୍ମୀକାନ୍ତ ବାରିକ ଏବଂ କୋଷାଧ୍ୟକ୍ଷ ଭାବେ ବିଜୟ ଘଡେଇ ମନୋନୀତ ହୋଇଥିଲେ । ପରାମର୍ଶଦାତା ଭାବେ ଏସ୍‌.ଏମ୍‌. ଫାରୁକ, ସୁଧାକର ରାଉତ, ଅବଦୁଲ ମୋକିତ ଖାଁ, ସେକ୍ ଅନୱାର ହୋସେନ, ମହମ୍ମଦ ଇସ୍‌ଲାମ ଅଲି ଓ ପ୍ରାଧ୍ୟାପକ ନାସି ବକ୍ସ ମନୋନୀତ ହୋଇଛନ୍ତି । ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବରିଷ୍ଠମାନେ ସମାଜର ମାର୍ଗଦର୍ଶକ, ସେମାନଙ୍କ ସୁରକ୍ଷା ଓ ସ୍ୱାଭିମାନ ସମାଜ ତଥା ପରିବାରବର୍ଗଙ୍କ କର୍ତ୍ତବ୍ୟ । ସେମାନଙ୍କ ସୁରକ୍ଷା ଦେବା ପାଇଁ ସଂଘ ଯତ୍‌ପରୋନାସ୍ତି ଉଦ୍ୟମ କରିବେ ବୋଲି ବକ୍ତମାନେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ରାମଚନ୍ଦ୍ର କର ସମ୍ପାଦକୀୟ ବିବରଣୀ ପାଠ କରିବା ପରେ ମହାସଂଘର ସମ୍ପାଦକ କୈଳାସ ମହାପାତ୍ର ସଂଘର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଦସ୍ୟତା ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସଂଘ ନେତୃତ୍ୱରେ କି କି ପଦକ୍ଷେପ ନେଇ ସେ ପ୍ରକାଶ କରିଥିଲେ । ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ବରିଷ୍ଠମାନଙ୍କ ପାଇଁ ସରକାର ଆଇନଗତ ସୁବିଧା କଣ କରିଛନ୍ତି ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଭାଇଚାରାର ମାଟି ପୁରୁଣାବଜାରରେ ଏକ ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠା ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ ଓ ମହାସଂଘ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ବରିଷ୍ଠମାନେ ମାନସିକ ସ୍ତରରେ ସୁସ୍ଥ ସବଳ ରହିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌.ଏମ୍‌. ଫାରୁକ ଏ ସଂଘର ଉନ୍ନତି ପାଇଁ ଏଥିରେ ସମସ୍ତ ବରିଷ୍ଠ ନାଗରିକ ସାମିଲ ହେବା ସହ ସହଯୋଗ କରିବାକୁ କହିଥିଲେ । ମନୋରଞ୍ଜନ ମହାନ୍ତି, ଅଶୋକ ଦାସ, ଲକ୍ଷ୍ମଣ ମହାନ୍ତି, ହରିପ୍ରସାଦ ନନ୍ଦୀ, ରବୀନ୍ଦ୍ର ମହାପାତ୍ର, ହାଜି ଅବୁ ସୁଫିଆନ, ହାଜି ଫକିର ଆଲାମ, ଆୟୁବ ଅଲି ଖାଁ କାଶିମ୍ ଖାଁ, କଲାମ ଖାଁ, ହିପ୍‌ଜୁର ରହେମାନ ଖାଁ, ଇବ୍ରାର ଖାଁ, କୟୁମ ଅଲି ସାହା, ଗୋବିନ୍ଦ ସାହୁ ପ୍ରମୁଖ ଶତାଧିକ ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରିଥିଲେ । ସୁଶ୍ରୀ ବସୁମିତ୍ରା ସାହୁ, ମୁସ୍ତାକ ଗହ୍ୱର, ପୂର୍ଣ୍ଣଚନ୍ଦ୍ର ସେନ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ସହସମ୍ପାଦକ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।