Odiapua.com

ବରିଷ୍ଠ ନାଗରିକ ସଂଘର ସାଧାରଣ ସଭା

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଏନଏସି ଅନ୍ତର୍ଗତ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାପତି ଅନନ୍ତ ଚରଣ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଶତାଧିକ ବରିଷ୍ଠ ସଦସ୍ୟ ଉପସ୍ଥିତ ହୋଇ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସଭାରେ ବର୍ତମାନ ବଢୁଥିବା ଦରବୃଦ୍ଧି ଓ ବରିଷ୍ଠ ନାଗରିକଙ୍କ ପ୍ରତି ସରକାରୀ ଉଦାସୀନତାକୁ ନେଇ ସଦସ୍ୟମାନେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ଚାନ୍ଦବାଲି ଅଂଚଳରେ ଏପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ଫଟୋ ପରିଚୟପତ୍ର ବଂଟନ ହୋଇନଥିବାକୁ ନେଇ ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତାକୁ ସମାଲୋଚନା କରାଯାଇଥିଲା। ସେହିପରି ଡାକ୍ତରଖାନା, ବ୍ୟାଙ୍କ ଓ ତହସିଲ କାର୍ଯ୍ୟାଳୟରେ ଲମ୍ବା ଲାଇନରେ ଦଣ୍ଡାୟମାନ ହେବାକୁ ବାଧ୍ୟ ହେଉଥିବା ସମସ୍ୟା ନିବାରଣ ପାଇଁ ମଧ୍ୟ ଦାବି ଉଠିଥିଲା।ସଂଘର ସଂପାଦକ ପ୍ରମୋଦ ତ୍ରିପାଠୀ କହିଥିଲେ ଯେ, ସରକାର ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥିଲେ ମଧ୍ୟ ସେଗୁଡିକର ଲାଭ ଭୂମିସ୍ତରରେ ପହଂଚୁନାହିଁ। ଫଳରେ ବରିଷ୍ଠମାନେ ସବୁଠି ଉପେକ୍ଷାର ଶିକାର ହେଉଛନ୍ତି। ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନ ସମ୍ପର୍କିତ ସରକାରୀ ନିଷ୍ପତି ମଧ୍ୟ ସଠିକ ଦିଗରେ ନଥିବା ବୋଲି ସେ ମତ ପ୍ରକାଶ କରିଥିଲେ। ସଭାରେ ନିଷ୍ପତି ହୋଇଥିଲା ଯେ, ଆଗାମୀ ମେ ୧୪ ତାରିଖ ସଂଗଠନ ଦିବସ ପୂର୍ବରୁ ଦାବିଗୁଡିକ ପୂରଣ ନହେଲେ ସଂଘ ଆନ୍ଦୋଳନ ପନ୍ଥା ଗ୍ରହଣ କରିବ। ଏଥି ସହ ବରିଷ୍ଠ ନାଗରିକଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ଓ ଚାନ୍ଦବାଲିରେ ନେତ୍ର ଚିକିତ୍ସାଳୟ ସ୍ଥାପନ ପାଇଁ ସମସ୍ତଙ୍କ ଉଦ୍ୟମ ଜରୁରୀ ମତ ପ୍ରକାଶ ପାଇଥିଲା।