Odiapua.com

ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବରିଷ୍ଠ ନାଗରିକ ପରିଷଦ ସଭାଗୃହରେ ପରିଷଦର କାର୍ଯ୍ୟକାରିଣୀ ବୈଠକ ସଭାପତି ଅନିଲ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୋସାଇଟି ଆକ୍ଟ ଅନୁଯାୟୀ ପ୍ରତି ପାଂଚ ବର୍ଷରେ ପରିଷଦର ନବୀକରଣ, ଧାମନଗର ସହରରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ, ବାର୍ଷିକ ମୁଖପତ୍ର ପ୍ରକାଶ ପାଇଁ ସମ୍ପାଦନା ମଣ୍ଡଳୀ ଗଠନ ଓ ଓଡ଼ିଆ ସଂସ୍କୃତିର ମହାନ ପର୍ବ ରଜମହୋତ୍ସବ ପାଳନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଚଳିତ ଶିକ୍ଷାବର୍ଷରେ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରିବା ଓ ବିଭିନ୍ନ ସାମାଜିକ ସମସ୍ୟା ସମ୍ପର୍କରେ ମଧ୍ୟ ମତବିନିମୟ କରାଯାଇଥିଲା। ବୈଠକରେ ପରିଷଦର ସାଧାରଣ ସମ୍ପାଦକ ସଚିକାନ୍ତ ପଣ୍ଡାଙ୍କ ସମେତ ସୁରଥ ଚନ୍ଦ୍ର ସେଠୀ, ଅଭିମନ୍ୟୁ ମଲ୍ଲିକ, ନରେନ୍ଦ୍ର ମଲ୍ଲିକ, ସେକ୍ ଅବଦୁଲ ହାକିମ, ରାମଚନ୍ଦ୍ର ସାହୁ, ବିଶ୍ୱନାଥ ବେହେରା, ଲମ୍ବୋଦର ମହାନ୍ତି, ମହେଶ୍ୱର ସ୍ୱାଇଁ, ବ୍ରହ୍ମାନନ୍ଦ ପୃଷ୍ଟି, ଭିକାରୀ ବେହେରା, ଦଶରଥ ଦାସ, ହୃଦାନନ୍ଦ କର ଓ ନିରାକାର ଧଳ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।