Odiapua.com

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୨୦୨୪-୨୫ବର୍ଷରେ ଭଦ୍ରକ ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରଶାସନିକ ପ୍ରସ୍ତୁତି ନିମନ୍ତେ ଆଭାସି ଜରିଆରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଜିଲ୍ଲାପାଳ କାର୍ତିକନାଥ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଜିଲ୍ଲାର ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ସଂପୃକ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଡ଼ି ହୋଇଥିଲେ । ସୂଚନା ଯୋଗ୍ୟକି ନୂଆ ସରକାରଙ୍କ ଏହି ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟର ୫ମ ପର୍ଯ୍ୟାୟରେ ଭଦ୍ରକରୁ ପ୍ରଥମ ଦଫାରେ ଆଗାମୀ ଫେବୃୟାରୀ ୨୬ରେ ଯାତ୍ରା ଆରମ୍ଭ କରିବେ । ଏହି ଯାତ୍ରା ପାଇଁ ଆବଦେନକାରୀଙ୍କ ମଧ୍ୟରୁ ଚୟନ ପ୍ରକିୟା ଅବଲମ୍ବନ ପୂର୍ବକ ୧୧୭ ଜଣଙ୍କ ନାମ ତାଲିକା ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଛି । ସେମାନଙ୍କ ମଧ୍ୟରୁ ଭଦ୍ରକ ବ୍ଲକ୍‌ରୁ ୧୯ଜଣ, ବାସୁଦେବପୁର ୭ଜଣ, ଭଣ୍ଡାରିପୋଖରୀ ରୁ ୧୧ଜଣ, ବନ୍ତ ରୁ ୩୧ଜଣ, ଚାନ୍ଦବାଲିରୁ ୫ଜଣ, ଧାମନଗରରୁ ୨୦ ଜଣ, ତିହିଡ଼ିରୁ ୨୪ଜଣ ଏହିଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାରେ ଯିବାକୁ ଥିବା ତୀର୍ଥ ଯାତ୍ରୀମାନେ ସିରିଡ଼ି ଓ ନାସିକ ପରିଭ୍ରମଣ କରି ମାର୍ଚ୍ଚ ୪ରେ ପ୍ରତ୍ୟାବର୍ତନ କରିବେ । ପ୍ରଶାସନିକ ବ୍ୟବସ୍ଥାରେ ତୀର୍ଥ ଯାତ୍ରୀମାନଙ୍କୁ ସେମାନଙ୍କ ଘରୁ ବ୍ଲକ ସଦର ମହକୁମାକୁ ଅଣାଯାଇ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜିଲ୍ଲା ସଦର ମହକୁମାରେ ଦିବା ୧୦ ଘଟିକା ସୁଦ୍ଧା ସଂସ୍କୃତି ଭବନରେ ପହଂଚାଇବା ସୁବିଧା କରାଯିବ । ସେଠାରେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ମଧ୍ୟାହ୍ନ ଭୋଜନ ଆଦି ବ୍ୟାବସ୍ଥା ପରେ ବସ୍ ଯୋଗେ ବାଲେଶ୍ୱରକୁ ପଠାଯିବ । ବରେଣ୍ୟ ଅତିଥି ଭାବେ ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ପତାକା ପ୍ରଦର୍ଶନ ପୂର୍ବକ ଯାତ୍ରାର ଶୁଭାରମ୍ଭ କରିବେ । ତୀର୍ଥ ଯାତ୍ରାରୁ ପ୍ରତ୍ୟାବର୍ତନ ପରେ ଯାତ୍ରୀମାନଙ୍କୁ ବାଲେଶ୍ୱରୁ ଆଣି ସେମାନଙ୍କୁ ଘରେ ପହଂଚାଇବା ମଧ୍ୟ ପ୍ରଶାସନିକ ବ୍ୟବସ୍ଥାରେ ସମ୍ପାଦିତ କରାଯିବ । ପ୍ରକାଶଥାଉକି ଏପ୍ରିଲ ୧୭ ରୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ୧୦ମ ଓ ଭଦ୍ରକ ଜିଲ୍ଲାର ୨ୟ ଦଫାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାୀମାନେ ତୀର୍ଥଯାତ୍ରାରେ ଅଯୋଧ୍ୟା ଓ ବାରାଣାସୀକୁ ଯିବାର କାର୍ଯ୍ୟକ୍ରମ ରହିଛି । ଭାରପ୍ରାପ୍ତ ସହକାରୀ ଜିଲ୍ଲାପାଳ ସଂଜୟ କୁମାର ମହାନ୍ତି ବୈଠକର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।