Odiapua.com

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ, ଭଦ୍ରକରୁ ବାହାରିଲେ ୧୪୬ ଜଣ ଯାତ୍ରୀ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭଦ୍ରକ ଜିଲ୍ଲାରୁ ୧୪୬ ଜଣଙ୍କୁ ନେଇ ଆୟୋଜିତ ତୀର୍ଥ ଯାତ୍ରାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତୀର୍ଥ ଯାତ୍ରାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଅନ୍ୟତମ ସମ୍ମାନିତ ଅତିଥିଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍‌, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖଙ୍କ ଦ୍ୱାରା ପତାକା ପ୍ରଦର୍ଶନ ପରେ ବରିଷ୍ଠ ନାଗରିକମାନଙ୍କୁ ନେଇ ତୀର୍ଥଯାତ୍ରାରେ ୪ଟି ବସ୍ ଯାତ୍ରାରମ୍ଭ କରିଥିଲା । ଏହି ଯାତ୍ରାରେ ଭଦ୍ରକ ବ୍ଲକରୁ ୩୯ଜଣ, ବାସୁଦେବପୁରରୁ ୧୨ , ଭଣ୍ଡାରିପୋଖରୀ ରୁ ୧୯, ବନ୍ତ ରୁ ୧୮, ଚାନ୍ଦବାଲି ରୁ ୨୦, ଧାମନଗରରୁ ୨୦ ଓ ତିହିଡ଼ିରୁ ୧୮ ଜଣ ଏହି ଯାତ୍ରାରେ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୨ଜଣ ମହିଳା ଓ ୮୪ ଜଣ ପୁରୁଷ ଅଛନ୍ତି । ବସ୍ ଦ୍ୱାରା ସେମାନେ ବାଲେଶ୍ୱରରେ ପହଞ୍ôଚ ସେଠାରେ ରାତ୍ରୀ ଯାପନ ପରେ ୫ ତାରିଖ ରେଳ ଦ୍ୱାରା ଉଜ୍ଜ୍ୱୟିନୀ-ଓମ୍‌କାରେଶ୍ୱର ଅଭିମୁଖେ ତୀର୍ଥ ଯାତ୍ରାରେ ବାହାରିବେ । ଏହି ଯୋଜନା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ନିୟମ କାନୁନ୍ ଅନୁସରଣ ପୂର୍ବକ ତୀର୍ଥ ଯାତ୍ରା ନିମନ୍ତେ ୧୪୬ଙ୍କୁ ବଛା ଯାଇଥିଲା । ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳଙ୍କ ସଂଯୋଜନାରେ ଏହି କାର୍ଯ୍ୟ ନଭେମ୍ବର ୧ରେ ଦରଖାସ୍ତ ଗ୍ରହଣ ଦିନ ଠାରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ଯାତ୍ରା ପାଇଁ ସେମାନଙ୍କୁ ପ୍ରଶାସନିକ ବ୍ୟବସ୍ଥାରେ ଘରୁ ଅଣାଯାଇ ଜଳଯୋଗ, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ସହ ଡ଼ାକ୍ତରୀ ପରୀକ୍ଷା ପରେ ପ୍ରେରଣ କରାଯାଇଛି । ୬ ଦିନିଆ ତୀର୍ଥ ଯାତ୍ରାରୁ ଫେରିଲା ପରେ ସେହିପରି ବାଲେଶ୍ୱରରୁ ବସ୍ ଯୋଗେ ଭଦ୍ରକ ଅଣାଯାଇ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ । ସୂଚନା ଯୋଗ୍ୟକି ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକମାନେ ସେମାନଙ୍କ ସମଗ୍ର ଜୀବନ କାଳରେ ଗୋଟିଏ ଥର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥଯାତ୍ରା କରିବାର ସୁଯୋଗ ନେଇପାରିବେ ।