ପୁରୀ- ୨-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲ୍ଲାରେ ବରିଷ୍ଠ ନାଗରିକ ଏବଂ ୪୫ ବର୍ଷ ବୟସରୁ ଅଧିକ ଦୀର୍ଘକାଳୀନ ଜଟିଳରୋଗୀ ମାନଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ପୁରୀର କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ରରେ ୧୦୦ ଜଣ ଏବଂ ଇ-୨୪ରେ ୧୫ ଜଣ ଟିକା ନେଇଛନ୍ତି। ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ ଇ-୨୪ ଏବଂ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ର ଠାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ବରିଷ୍ଠ ନାଗରିକ ଶ୍ରେଣୀରେ ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ଥିଲେ। ଆସନ୍ତାକାଲି ଠାରୁ ଦୋଳବେଦୀ କୋଣ, ଚନ୍ଦନ ହଜୁରୀ ଏବଂ ସ୍ବର୍ଗଦ୍ବାର ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ କରାଯିବ ଏବଂ ଖୁବଶୀଘ୍ର ବ୍ଲକସ୍ତରରେ ଟିକା ଦିଆଯିବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡିପିଏମ୍ଓ ଟି. ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ।