Odiapua.com

ବରିଷ୍ଠ ନାଗରିକଙ୍କୁ ମାସ୍କ ବାଣ୍ଟିଲେ ଶିକ୍ଷକ

ଭବାନୀପାଟଣା, ୨୭ା୪ (ଓଡ଼ିଆ ପୁଅ) : ସାରା ରାଜ୍ୟରେ ଶିକ୍ଷକମାନେ ବହି ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଳାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାର ଦୁର୍ଗମ ଅଂଚଳମାନଙ୍କରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ସଦର ବ୍ଲକ୍ ଉପାନ୍ତ ଟିଟିଝୋଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଶିକ୍ଷକମାନେ ପିଲାଙ୍କ ଘରକୁଘର ବୁଲି ବହି ବାଣ୍ଟୁଛନ୍ତି। ୪୩ ଡିଗ୍ରୀ ଖରାକୁ ଭ୍ରୂକ୍ଷେପ ନକରି ସାମାଜିକ ଦୂରତ୍ୱ ରକ୍ଷା ସହ ଏହି କାର୍ଯ୍ୟକ୍ରମ ଚାଲିଛି। ବହି ବଣ୍ଟନ ସହ ପିଲାମାନଙ୍କ ମଧ୍ୟରେ କରୋନା ସଂପର୍କରେ ସଚେତନତା ସୃଷ୍ଟି କରାଯାଉଛି। ଏତଦ୍‌ବ୍ୟତୀତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୈଷ୍ଣବ ମାଝୀ ଓ ସହକାରୀ ଶିକ୍ଷକ ଡିଲେଶ୍ୱର ରଣାଙ୍କ ଉଦ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହ ଟିଟିଝୋଲା ଭଳି ସୁରକ୍ଷା ସଚେତନ ନଥିବା ଅଂଚଳରେ ସାଧାରଣ ଲୋକଙ୍କୁ ସଜାଗ କରାଯାଉଛି। ଶିକ୍ଷକମାନଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।