Odiapua.com

ବରାହ ନୂଆପଡାରେ ନିର୍ମାଣ ହେବ ବିଜୁସେତୁ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବରାହନୂଆପଡା ଗ୍ରାମକୁ ସଂଯୋଗକାରୀ ବିଜୁ ସେତୁ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଛି। ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ଖୋଳାମୂହଁ ଠାରୁ ବରାହନୂଆପଡା ଗ୍ରାମ ଅତିକ୍ରମ କରି ମୁଢାପଦା କୁ ଗ୍ରାମ୍ୟ ଉନ୍ନୟନ ରାସ୍ତା୨୦୧୬ ମସିହାରୁ ନିର୍ମାଣ କରାଯାଇଛି। ହେଲେ ଖୋଳନାଳ ଉପରେ ସେତୁ ନିର୍ମାଣ କରାଯାଇ ନଥିବାରୁ ରାସ୍ତା ବ୍ୟବହାର ଅନୁପଯୋଗୀ ହୋଇ ରହିଥିଲା। ଭିନ୍ନ ରାସ୍ତାରେ ଗ୍ରାମକୁ କେବଳ ଦୁଇଚକିଆ ଯାନ ଯାତାୟତ ସମ୍ଭବ ହେଉଥିଲା। ଗ୍ରାମବାସୀମାନେ ଏଥିପାଇଁ ବହୁ ଦିନରୁ ଦାବି କରିଆସୁଥିଲେ। ଚଳିତ ସପ୍ତାହରେ ଖେଳାନାଳ ଉପରେ ବିଜୁସେତୁ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି। ବିଧାୟକ ପ୍ରଫୁଲ୍ଲ ସାମଲ ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅନୁରୋଧ କରିଥିଲେ। ଏହି ସେତୁ ନିର୍ମାଣ ପାଇଁ ୬କୋଟି ୧୨ ଲକ୍ଷ ଟଙ୍କା ବ୍ୟୟବରାଦ ମଧ୍ୟ କରାଯାଇଛି। ସ୍ଥାନୀୟ ପଞ୍ଚାୟତ ସମିତି ଉପାଧ୍ୟ ପ୍ରଣିତକାନ୍ତି ସାମଲ ବରାହନୂଆପଡା ଗ୍ରାମବାସୀ ପ୍ରଫୁଲ୍ଲ ନାୟକଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହ ଚଳିତ ବର୍ଷ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବହୁ ପ୍ରତୀକ୍ଷିତ ଏହି ଦାବି ପୂରଣ ହୋଇଥବାରୁ ଗ୍ରାମବାସୀ ଶ୍ରୀ ନାୟକ ବିଧାୟକ ଶ୍ରୀ ସାମଲଙ୍କ ସମେତ ଉପାଧ୍ୟକ୍ଷ ଶ୍ରୀ ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।