ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ଶିକ୍ଷା ସର୍କଲ ଅର୍ନ୍ତଗତ ବରହମ୍ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । କ୍ରୀଡା ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶରତ କୁମାର ବେହେରା ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ସେଠୀଙ୍କ ସଭାପତିତ୍ୱରେ ଶିକ୍ଷକ ତପନ କୁମାର ସାହୁ, ଗଣନାଥ ବେହେରା, ଶିକ୍ଷୟିତ୍ରୀ ସସ୍ମିତା ଜେନା, ବନ୍ୟା ବିଜୟୀନି ଜେନା,ପ୍ରୀତିଲତା ଜେନା, ଡଲିରାଣି ଲେଙ୍କା ପ୍ରମୁଖ ଯୋଗଦେଇ କ୍ରୀଡାର ଉପାଦେୟତା ଉପରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ପଂଚମ ଶ୍ରେଣୀ ବୃତି ପରୀକ୍ଷାରେ କୃତୀ ଛାତ୍ର ଅଶୁତୋଷ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ସହ ଶିକ୍ଷା ଉପକରଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପିତା ଅର୍ନ୍ତଯ୍ୟାମୀ ମଲ୍ଲିକ୍, ମାତା ପ୍ରଭାତୀ ଶଙ୍ଖୁଆ ଉପସ୍ଥିତ ଥିଲେ । ଆଶୁତୋଷ ମଲ୍ଲିକ ନିଜ ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ଦେଇଥିବା ବେଳେ ସମସ୍ତେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଗଣିତ ଦୌଡ, କ୍ରିକେଟ୍ ମ୍ୟାଚ୍ ଆଦି ପ୍ରତିଯୋଗିତା କରାଯାଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ଆଗାମୀ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ସେଠୀ କହିଛନ୍ତି ।