Odiapua.com

ବରଫ କଳରୁ ଆମୋନିଆ ଗ୍ୟାସ ଲିକ ମଠସାହି ଅଞ୍ଚଳରେ ଆତଙ୍କ

ବାଲେଶ୍ୱର, ୨୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ମଠସାହି ତାରିଣୀ ଛକ ନିକଟସ୍ଥ ଏକ ବରଫ କଳରେ ଆମୋନିଆ ଗ୍ୟାସ ଲିକ ହେବାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି। ସହର ଉପକଣ୍ଠ ମେଣ୍ଡାଶୋଳ ରାସ୍ତାର ନୟନା କୁମାରୀ ହାଇସ୍କୁଲ ସାମନାରେ ଥିବା ମ୍ୟାଗନମ ଆଇସ ଫ୍ୟାକ୍ଟ୍ରିରୁ ଏହି ଆମୋନିଆ ଗ୍ୟାସ ଲିକ ହୋଇଥିଲା। ଫ୍ୟାକ୍ଟ୍ରିରୁ ଲିକ ଗ୍ୟାସ ଆଖପାଖ ଅଂଚଳକୁ ବ୍ୟାପୀଯିବା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫ୍ୟାକ୍ଟ୍ରିରେ କାମ କରୁଥିବା ଲୋକଙ୍କ ସମେତ ସ୍ଥାନୀୟ ଅଂଚଳରେ ଯାତାୟତ କରୁଥିବା ଲୋକଙ୍କ ଆଖିନାକ ପୋଡ଼ାଜଳା ହେବା ସହ ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଗ୍ୟାସ ଲିକ ହୋଇଥିବା ସନ୍ଦେହରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଆସିଷ୍ଟାଂଟ ଫାୟାର ଅଫିସର ପୋରେନ ସୋରେନଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ ଲିକକୁ ବନ୍ଦ କରିଥିଲେ। ଆମୋନିଆ ଗ୍ୟାସ ପାଇପ ଲାଇନର ଏକ ଭାଲଭରୁ ଏହି ଗ୍ୟାସ ନିର୍ଗତ ହୋଇଥିବା ଅଶ୍ନିଶମ ବିଭାଗ ଟିମ ଜାଣିବାକୁ ପାଇଥିଲେ। ପର୍ସନାଲ ପ୍ରୋଟେକ୍‌ସନ ସୁଟ ପିନ୍ଧି ଫ୍ୟାକ୍ଟ୍ରି ଭିତରକୁ ଯାଇ ସମ୍ପୃକ୍ତ ଭାଲବ୍କୁ ସିଲ କରିବା ପରେ ଗ୍ୟାସ ଲିକ୍ ବନ୍ଦ ହୋଇଥିବା ଆସିଷ୍ଟାଂଟ ଫାୟାର ଅଫିସର ଶ୍ରୀ ସୋରେନ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ସଦର ତହସିଲଦାର ଅନାମିକା ସିଂହ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ନୟନା କୁମାରୀ ହାଇସ୍କୁଲରେ ପାଠପଢା ଚାଲୁଥିବାରୁ ସୁରକ୍ଷା ଦୃଷ୍ଟି କୋଣରୁ ତୁରନ୍ତ ଛୁଟି କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତେବେ ଗ୍ୟାସ ଲିକ୍ ଯୋଗୁଁ ଜନସାଧାରଣଙ୍କ ଉପରେ ବିଶେଷ ପ୍ରଭାବ ପଡିନଥିବା ବେଳେ ଜଣେ ବାଳକଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତହସିଲଦାର ତୁରନ୍ତ ସମ୍ପୃକ୍ତ ବାଳକକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ। ତେବେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ଦୀର୍ଘ ସମୟ ଧରି ନଜର ରଖାଯାଇଥିଲା।