Odiapua.com

ବରପୁତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କଲେ ସାଂସଦ ଓ ବିଧାୟକ

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଆଗରପଡ଼ା ଠାରେ ଗତ ନଭେମ୍ବର ୨୧ ତାରିଖ ଜନ୍ମ ଜୟନ୍ତୀ ଅବସରରେ ମହତାବଙ୍କ ୨ ଗୋଟି ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ତେବେ ବିଧାନ ସଭା ଚାଲୁଥିବାରୁ ସ୍ଥାନୀୟ ବିଧାୟକ ତଥା ମହତାବଙ୍କ ପଟ୍ଟଶିଷ୍ୟ ପ୍ରଫୁଲ୍ଲ ସାମଲ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରି ନଥିଲେ । ତେବେ ଆଜି ଅପରାହ୍ନରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଶ୍ରୀ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ବିଜେଡ଼ି ସମ୍ପାଦକ ଲୁଲୁ ସାମଲ, ତିହିଡ଼ି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ନାୟକ, ନାଟ୍ୟକାର ଡ଼ଃ ସୁଧାଂଶୁ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାସ ପ୍ରମୁଖ ଆଗରପଡ଼ାର ପ୍ରବେଶଦ୍ୱାର କୁଆଁଶମଢିଆ ଛକସ୍ଥିତ ମହତାବଙ୍କ ପ୍ରତିମୂର୍ତ୍ତି ଏବଂ ମୁଖ୍ୟଛକ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଶ୍ରୀ ସାମଲଙ୍କ ଉଦ୍ୟମରେ ଏହି ଜନନେତାଙ୍କ୨ ଗୋଟି ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇ ପୂଜ୍ୟପୂଜାକୁ ସମ୍ମାନ ଦିଆଯାଇଥିବାରୁ ଅଞ୍ଚଳବାସୀା ସାଧୁବାଦ ଜଣାଇଥିଲେ । ଏହି ଅବସରରେ ନେତୃବୃନ୍ଦଙ୍କୁ ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ଜିଲ୍ଲା ଉପସଭାପତି ହୃଦୟ ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ପାଛୋଟି ଅଣାଯାଇଥିଲା । ପରେ ନେତୃବୃନ୍ଦ କୁଆଁଶମଢିଆ ସ୍ଥିତ ବହ୍ମାକୁମାରୀ ଈଶ୍ୱରୀୟ ଆଶ୍ରମ ଉତ୍ସବରେ ଯୋଗ ଦେଇଥିଲେ ।