Odiapua.com

ବରପୁତ୍ରଙ୍କୁ ଅସମ୍ମାନ,ମହତାବଙ୍କ ଜନ୍ମ ମାଟିରେ ପ୍ରତିବାଦ

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ନିତୀ ଯୋଗୁଁ ଉତ୍କଳର ବରପୁତ୍ର ମାନଙ୍କୁ ବିଭିନ୍ନ ସମୟରେ ଅସମ୍ମାନିତ କରାଯାଉଛି । ଏଥି ପାଇଁ ପ୍ରତିବାଦର ସ୍ୱର ଉଠୁଥିବା ବେଳେ ଏଥି ପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ଯାହାକୁ ନେଇ ବୃଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖା ଦେଉଛି । କିଛି ଦିନ ପୂର୍ବେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନିରେ ଭଦ୍ରକର ଅନ୍ୟତମ ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠକବି ବୋଲି ସଭାରେ ଉଦ୍‌ଘୋଷିକା ବାରମ୍ବାର କହି ଚାଲିଥିଲେ । ଏବେ ପୁଣି ଥରେ ବରପୁତ୍ରଙ୍କୁ ଅସମ୍ମାନ ଘଟଣା ଦେଖିବାକୁ ମିଳିଛି ହରେକୃଷ୍ଣ ମହତାବଙ୍କ କ୍ଷେତ୍ରରେ । ଉତ୍କଳର ବରପୁତ୍ର, ନବ ଉତ୍କଳର ନିର୍ମାତା ଡ଼ ହରେକୃଷ୍ଣ ମହତାବଙ୍କ ନାମଙ୍କୁ ବିକୃତ କରି ଧାମନଗର ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟ ପାଚେରିରେ ଲେଖାଯାଇ ଥିବାରୁ ଆଜି ଜନ୍ମ ପୀଠ ଆଗରପଡ଼ା ଠାରେ ପ୍ରତିବାଦର ସ୍ୱର ଉଠିଛି । ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ସ୍ଥାନୀୟ କଲେଜ ଛକ ସ୍ଥିତ ମହତାବଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି । ଏଥିରେ ବରିଷ୍ଠ ରାଜନେତା ଡ଼ ସୁଧାଂଶୁ ଶେଖର ନାୟକ, ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ସ୍ତମ୍ବକାର ସୁବୋଧ କୁମାର ସାହୁ, ବିଜେପି ନେତା ଗୋପାଳକୃଷ୍ଣ ଦାଶ, ମଦନ ମୋହନ ଦାଶ, ବିଶିଷ୍ଟ ବ୍ୟବସାୟୀ ତାପସ କୁମାର ରାୟ, ଅବସରପ୍ରାପ୍ତ ସେନା କର୍ମଚାରୀ ବଳରାମ ଦାସ, ଯୁବ ନେତା ଅମୁଲ୍ୟ ରତ୍ନ ନନ୍ଦ, ଡ଼ଃ ବିଭୁତି ମିଶ୍ର, ଶିକ୍ଷାବିତ୍ ରବିନ୍ଦ୍ର ଶତପଥୀ, ଭଗବାନ ଦାଶ, ବରିଷ୍ଠ ନାଗରିକ କୈଳାଶ ଚନ୍ଦ୍ର ଧଳ, ବିଜୟ ମହତାବ, ସୁବାଷ ସାହୁ, ଅଭିରାମ ଆଚାର୍ଯ୍ୟ ପ୍ରମୁଖ ଏକ ଶିକ୍ଷାନୁଷ୍ଠାନ ପାଚେରିରେ ଡ଼ ହରେକୃଷ୍ଣ ମହତାବଙ୍କ ଫଟୋଚିତ୍ର ସହ ହରେକୃଷ୍ଣ ମହାନ୍ତି ଲେଖା ଯାଇଛି ଯାହାକି ନିନ୍ଦନିୟ ଘଟଣା ଅଟେ । ଏହାକୁ ନେଇ ଦୃଢ ପ୍ରତିବାଦ କରାଯିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରି ବିକ୍ଷୋଭ କରାଯାଇଛି । କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ଶତାଧିକ ରାଜନେତା, ବୃଦ୍ଧିଜିବୀ, ସମାଜସେବୀ ଓ ଯୁବ ଛାତ୍ର ଉପସ୍ଥିତ ଥିଲେ ।