Odiapua.com

ବରଡେଶ୍ୱର ଛକ ଠାରୁ ଦଣ୍ଡୋ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ, ନିର୍ମାଣ କାର୍ଯ୍ୟ ପାଇଁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦୁଆପଦା ଅଂଚଳର ବରଡେଶ୍ୱର ଛକ ଠାରୁ ଦଣ୍ଡୋ ପର୍ଯ୍ୟନ୍ତ ଥିବା ବାରିକପୁର-ବନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଶୋଚନୀୟ ନେଇ ଗ୍ରାମବାସୀମାନେ ଆଜି ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ବନ୍ତ-ଭଣ୍ଡାରିପୋଖରୀ ବିଧାନସଭା ଭାଜପା ନେତା ବଦ୍ରୀ ଧଳଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲାପାଳଙ୍କୁ ଭେଟି ରାସ୍ତାର ଦୂରାବସ୍ଥା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ମରାମତି ପାଇଁ ନିବେଦନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ବନ୍ତ ବ୍ଲକ୍ ଅନ୍ତର୍ଗତ ତୋଡଙ୍ଗା-କେନ୍ଦୁଆପଦା ଗ୍ରାମପଞ୍ଚାୟତର ବରଡେଶ୍ୱର ଛକ ଦଣ୍ଡୋ ଭାୟା ଚିନାମାଳି, ମଲ୍ଲସାହି ମୁଖ୍ୟ ସଡକ ପଥଟି ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଉନ୍ନତି ହୋଇପାରୁନାହିଁ । ବର୍ଷାଋତୁରେ ରାସ୍ତାଟି ଖାଲଢମାରେ ମରଣଯନ୍ତା ପାଲଟିଛି । ଯାନବାହନ ଯିବା ତ ଦୂରର କଥା, ଚାଲିଚାଲି ଯିବା କଷ୍ଟକର ହୋଇପଡିଛି । ବିଶେଷକରି ସ୍କୁଲ ପିଲାମାନେ ଯିବାଆସିବାରେ ହନ୍ତସନ୍ତ ହେବା ସହ ରାସ୍ତାରେ ପଡି ଆହତ ହେଉଛନ୍ତି । ଗାଁ ମଧ୍ୟକୁ ଆମ୍ବୁଲାନ୍ସ ଯାଇପାରୁନାହିଁ ।

ଖଟିଆରେ ରୋଗୀଙ୍କୁ ନେବାଆଣିବା କରାଯାଉଛି । ଏହି ମୁଖ୍ୟ ରାସ୍ତାଟି ଉପରେ ତୋଡଙ୍ଗା, କେନ୍ଦୁଆପଦା, ପାଟୁଳି, ନଗୁଆଁ ପଞ୍ଚାୟତର ଲୋକମାନେ ନିର୍ଭରଶୀଳ । ଏହି ସଡକପଥଟିର ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମବାସୀମାନେ ପ୍ରଶାସନ, ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଆସନ୍ତା ଏକସପ୍ତାହ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ କରାନଗଲେ ଗ୍ରାମବାସୀମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ତୋଡଙ୍ଗା ସରପଞ୍ଚ ମାନସ ପହି, ଲକ୍ଷ୍ମୀଧର ସାହୁ, ମାୟାଧର ଖିଲାର, ଉର୍ବଶୀ ଜେନା, କବିତା ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି । ପ୍ରକାଶଯୋଗ୍ୟ ଏହି ରାସ୍ତାଟି ନିର୍ମାଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୨୦୨୨-୨୩ ମସିହାରେ ୨ କୋଟି ୮୭ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା । ପରବର୍ତ୍ତୀ ସମୟରେ ଟେଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାତିଲ ହୋଇ ପୁନଃ ପରିବର୍ଦ୍ଧିତ ଟେଣ୍ଡର ପାଇଁ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।