Odiapua.com

ବମ୍ ବିସ୍ଫୋରଣରେ ମୃତ୍ୟୁ ଘଟଣାକୁ ଭାଡାରୁ ପଡି ମୃତ୍ୟୁ ଘଟିଥିବାର ରୂପ ଦେଇଛି ଦୈତାରୀ ପୋଲିସ, ନ୍ୟାୟ ଅପେକ୍ଷାରେ ୪ଦିନ ଧରି ପଡ଼ିରହିଛି ରାଜମିସ୍ତ୍ରୀଙ୍କ ମରଶରୀର

ହରିଚନ୍ଦନପୁର,ତା ୧୨ ଅକ୍ଟୋବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ପୋଲିସ ପ୍ରଲ୍ଲୋଭନର ବସବର୍ତ୍ତି ହୋଇ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ରାଜମିସ୍ତ୍ରୀଙ୍କୁ ଭାଡାରୁ ପଡି ମୃତ୍ୟୁ ଘଟିଥିବାର ରୂପ ଦେଉଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ ଗତ ୯ ତାରିଖ ଶୁକ୍ରବାର ୧୧ଘଟିକା ସମୟରେ ଘର ନିର୍ମାଣରେ ପୋଲସ୍ତରା (ପ୍ଲାଷ୍ଟର) କରୁଥିବା ବେଳେ ଭାଡାରୁ ପଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା କଥା ମିଛ । ଖବର ଅନୁଯାୟୀ ଦୈତାରୀ ଥାନା ଅନ୍ତର୍ଗତ ବାଙ୍ଗୁରୁଶୁଣୀ ଗ୍ରାମର ଜୟପାଲ ପୃର୍ତ୍ତି(୫୫) ସାନଶିଆଡିମାଳ ଗ୍ରାମର ମଦନ ମହାନ୍ତଙ୍କ ଘର ନିର୍ମାଣ କାର୍ଯ୍ୟ କରୁଥିଲେ । ଘର ଭିତରର କାନ୍ଥ ଗୁଡ଼ିକ ପ୍ଲାଷ୍ଟର କରୁଥିବା ବେଳେ ଘରେ ଗଚ୍ଛିତ ହୋଇରହିଥିବା ବାହରା ଶିକାର ନିମନ୍ତେ ବମ୍ ଗୁଡ଼ିକ କୌଣସି କାରଣରୁ ହଠାତ୍ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ରାଜମିସ୍ତ୍ରୀ ଜୟପାଲଙ୍କ ମୃତ୍ୟୁ ଘଟିଥିଲା । ହେଲେ ପୋଲିସ କେଶରୁ ବଞ୍ଚିବା ପାଇଁ ଘର ମାଲିକ ଏକ ଟାଟାମେଜିକ୍ ଯୋଗେ ମୃତଦେହକୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଦୈତାରୀ ଥାନାକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଦୈତାରୀ ପୋଲିସ ଶନିବାର ଦିନ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ବିସ୍ଫୋରଣ ବଦଳରେ ଭାଡାରୁ ପଡି ମୃତ୍ୟୁ ଘଟିଥିବାର ରୂପ ଦେଇଥିଲା । ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା, ବ୍ୟବଚ୍ଛେଦ ପରେ ମରଶରୀରକୁ ପରିବାର ଲୋକେ ସତ୍କାର ନିମନ୍ତେ ଗ୍ରାମକୁ ଆଣିଥିଲେ । ମୃତ୍ୟୁ ସମ୍ପର୍କରେ ସତ୍ୟତା ଜାଣିବା ପରେ ନ୍ୟାୟ ଆଶାରେ ପରିବାର ଓ ଗ୍ରାମବାସୀ ଘଟଣାର ଉଚିତ୍ ତଦନ୍ତ ନିମନ୍ତେ ଦୈତାରୀ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ହେଲେ ପୋଲିସ ମୋଟା ଅଙ୍କର ହାତଗୁଞ୍ଜା ନେଇ ତଦନ୍ତ କରାଯିବ କହି ଆଜକୁ ୪ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଯାଉନଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଯାହାକୁ ନେଇ ଶବ ସତ୍କାର ବଦଳରେ ଘର ବାରଣ୍ଡାରେ ପଡ଼ିରହିଛି ଜୟପାଲଙ୍କ ମରଶରୀର । ମରଶରୀର ଦୀର୍ଘ ୪ଦିନ ଧରି ଘର ବାରଣ୍ଡାରେ ପଡିରହିଥିବା ନେଇ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି । ଅନ୍ଯପଟେ ନ୍ୟାୟରୁ ବଞ୍ଚିତ ପରିବାର ଓ ଗ୍ରାମବାସୀ ନରଣପୁର-ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ମରଶରୀରକୁ ରଖି ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ସଠିକ୍ ତଦନ୍ତ କରାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଜନସାଧାରଣରେ ଦାବି ହୋଇଛି ।