Odiapua.com

ବନ୍ୟା ଯୋଗୁଁ ୭ଟି ବ୍ଲକ୍‌ରେ ୪୨୨୩ ହେକ୍ଟର ଜମିର ତଳି ସଂପୂର୍ଣ୍ଣ ନଷ୍ଟ,୨ ଲକ୍ଷ ୭୭ ହଜାର ସ୍ୱଳ୍ପ ମିଆଦି ବିହନ ମିନି କିଟ୍ ଯୋଗାଣ ପାଇଁ ସରକାରଙ୍କୁ ଦୃଷ୍ଟି ଆକର୍ଷଣ

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଓ ସାଳନ୍ଦୀ ନଦୀ ବନ୍ୟା ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଜିଲାର ୭ଟି ବ୍ଲକ୍‌ରେ ଚାଷଜମିକୁ ଜଳାର୍ଣ୍ଣବ କରିପକାଇଛି। ବନ୍ୟାଜଳ ହ୍ରାସ ପାଉଥିଲେ ମଧ୍ୟ ପ୍ରତିଦିନର ଲଗାତର ବର୍ଷା ଜମିକୁ ଏବେ ସଂପୂର୍ଣ୍ଣ ବୁଡାଇ ରଖିଛି। ଯାହାଫଳରେ ଜିଲା କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ସର୍ଭେ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ଜିଲା କୃଷି ବିଭାଗର ପ୍ରାଥମିକ ଆକଳନ ରିପୋର୍ଟରୁ ଜଣାଯାଇଛି ଯେ ଜିଲାର ୭ଟି ବ୍ଲକ୍‌ରେ ୪୨୨୩ ହେକ୍ଟର ଜମିର ତଳି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାସୁଦେବପୁର ବ୍ଲକ୍‌ରେ ସର୍ବାଧିକ ୧୪୦୦ ହେକ୍ଟର ଜମିରେ ତଳି ନଷ୍ଟ ହୋଇଛି। ସେହିପରି ତିହିଡି ବ୍ଲକ୍‌ରେ ୮୬୫, ଚାନ୍ଦବାଲିରେ ୫୮୦, ଧାମନଗରରେ ୪୭୩, ଭଣ୍ଡାରିପୋଖରୀରେ ୪୩୫, ଭଦ୍ରକରେ ୪୨୦ ଓ ବନ୍ତ ବ୍ଲକ୍‌ରେ ୫୦ ହେକ୍ଟର ଚାଷଜମି ବନ୍ୟାଜଳରେ ତଳି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ୪୨୨୩ ହେକ୍ଟର ଜମିର ତଳି ୪୨ ହଜାର ୨୩୦ ହେକ୍ଟର ଜମିରେ ଚାଷ ହୋଇପାରିଥାନ୍ତା। ସେହିପରି ବୁଣା ହୋଇଥିବା ଓ ତଳି ରୋପଣ କରାଯାଇ ଚାଷ ହୋଇଥିବା ୧୩ ହଜାର ୩୨୭ ହେକ୍ଟର ମୋଟ ୫୫ ହଜାର ୫୫୭ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ୯୦ ରୁ ୧୨୦ ଦିନ ମଧ୍ୟରେ ଅମଳ ହେବାକୁ ଥିବା ୨ ଲକ୍ଷ ୭୭ ହଜାର ସ୍ୱଳ୍ପ ମିଆଦି ବିହନ ମାଗଣାରେ ଯୋଗାଇଦେବା ପାଇଁ ଜିଲା କୃଷି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟ ଜିଲା କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ର କୁହନ୍ତି ଲଗାତର ବର୍ଷା ଯୋଗୁଁ ସର୍ଭେ କାର୍ଯ୍ୟରେ ବିଳମ୍ବ ଘଟୁଛି। ଯଦି ବର୍ଷା ବିତ୍ପାତ କମେ, ତେବେ ୭-୮ ଦିନ ପରେ ସଂପୂର୍ଣ୍ଣ ରିପୋର୍ଟ ଆମର ହସ୍ତଗତ ହେବ।