Odiapua.com

ବନ୍ୟା ବିଭୀଷିକା ଭିତରେ ବଳିପଡ଼ିଲା ମାନବିକତା,ପିତେଇପୁର ଜେନାସାହିର ଭୋକିଲା ପେଟରେ ରାଜନୀତିର ଛାଟ

ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଉଛୁଳା ବୈତରଣୀ ଓ ଗେଙ୍ଗୁଟି ନଦୀର କରାଳ ରୂପ ଯେତିକି ଭୟଙ୍କର ନଥିଲା, ତା’ଠୁ ଅଧିକ ହୃଦୟବିଦାରକ ଓ ନିନ୍ଦନୀୟ ଥିଲା ବନ୍ୟା ପରବର୍ତୀ ପ୍ରଶାସନିକ ଅବହେଳା ଓ ଶାସକ ଦଳର ସଂକୀର୍ଣ୍ଣ ରାଜନୀତି। ଧାମନଗର ବ୍ଲକ ସୋହଡ଼ା ପଂଚାୟତ ୮ ନମ୍ବର ୱାର୍ଡ ଅନ୍ତର୍ଗତ ପିତେଇପୁର ଜେନାସାହି ଆଜି ମାନବିକତା ଶୂନ୍ୟତାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି। ଏହି ଦଳିତ ସାହିର ୪୦ଟି ପରିବାରର ୩୦୦ରୁ ଉର୍ଦ୍ଧ୍ୱ ଅସହାୟ ଲୋକ ବନ୍ୟାର କରାଳ ଗ୍ରାସରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ସକାଳେ ମଜୁରୀ ଲାଗିଲେ ସନ୍ଧ୍ୟାରେ ଯାହାଙ୍କ ଚୁଲି ଜଳେ, ସେହି ଅଭାବୀ ଦିନମଜୁରିଆଙ୍କ ପାଖରେ ସଂଚିତ ଖାଦ୍ୟ ବୋଲି କିଛି ନଥିଲା। ଗତ ୨୮ ତାରିଖ ରାତିରେ ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ପରେ ପ୍ରଶାସନ ତତ୍ପର ହୋଇଥିଲା ସତ, କିନ୍ତୁ ସୂଚନା ମିଳିବା ବେଳକୁ ପାଣି ଦୁଆର ମୁହଁରେ। ଛୁଆପିଲାଙ୍କ ପାଇଁ ମୁଠାଏ ଆହାର ଯୋଗାଡ଼ କରିବା ଆଗରୁ ଜଳପ୍ଲାବନ ଘେରିଯିବାରୁ ଲୋକେ ଆତଙ୍କିତ ହୋଇ ଆଶ୍ରୟସ୍ଥଳୀକୁ ଉଠିଯାଇଥିଲେ। ଏହି ତିନିଦିନ ଧରି କୋମଳମତି ଶିଶୁ, ଗର୍ଭବତୀ ମହିଳା ଓ ବୃଦ୍ଧବୃଦ୍ଧାମାନଙ୍କୁ ଧରି ଏହି ୩୦୦ ବିପନ୍ନ ଲୋକ ଭୋକ-ଶୋଷରେ ଆଉଟୁପାଉଟୁ ହୋଇ ଛଟପଟ ହୋଇଛନ୍ତି। ସରକାରୀ ସ୍ତରରୁ ଚୁଡ଼ା, ଗୁଡ଼, ରନ୍ଧାଖାଦ୍ୟ କିମ୍ବା ଟୋପାଏ ପିଇବା ପାଣି ବି ଏହି ସାହିକୁ ମିଳିନାହିଁ। ଗାଁ ସ୍କୁଲରେ ସରକାରୀ ଅନୁଦାନରେ ଖାଦ୍ୟ ରୋଷେଇ ହୋଇ ଅନ୍ୟ ସାହିକୁ ବଂଟାଯାଉଥିବା ବେଳେ, କେବଳ ଭିନ୍ନ ରାଜନୈତିକ ମତଧାରା ପାଇଁ ଏହି ଦଳିତ ସାହିଟିକୁ ସମ୍ପୂର୍ଣ୍ଣ ଅବହେଳା କରାଗଲା। ସାହିର ଲିସା ରାଣୀ ଜେନା ଲୁହଭରା ଆଖିରେ କହିଛନ୍ତି, ଜାଣିଶୁଣି ଆମକୁ ରିଲିଫରୁ ବଂଚିତ କରାଗଲା। ସଙ୍କଟ ସମୟରେ ବି ପେଟକୁ ନେଇ ରାଜନୀତି କରାଗଲା। ସେହିପରି ସନାତନ ଜେନା କହିଛନ୍ତି ଯେ, ବନ୍ୟା ଛାଡ଼ିବା ପରେ ବି ପ୍ରଶାସନ ସେମାନଙ୍କ ଦୁଃଖ ବୁଝିନାହିଁ। ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ଖୋଲା ଆକାଶ ତଳେ ପଡ଼ିରହିଥିବା ଏହି ପରିବାରଗୁଡ଼ିକୁ ପଲିଥିନ ଖଣ୍ଡିଏ ସୁଦ୍ଧା ମିଳିନାହିଁ। ଗ୍ରାମବାସୀ ରତ୍ନାକର ଦାସ ସୀଧା ସଳଖ ଅଭିଯୋଗ କରିଛନ୍ତି ଯେ, ପଂଚାୟତର ଶାସକ ଦଳ ନେତାମାନଙ୍କ ଚକ୍ରାନ୍ତ ଯୋଗୁଁ ପ୍ରଶାସନ ବାଟବଣା ହୋଇଛି।ସୋଧ ରାଜସ୍ୱ ନିରୀକ୍ଷକ ବନ୍ୟାପାଣି ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନତାକୁ କାରଣ ଦର୍ଶାଇ ଖୁବଶୀଘ୍ର ପଲିଥିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଭୋକ, ଶୋଷ ଓ ପକ୍ଷପାତିତାର ଶିକାର ହୋଇଥିବା ପିତେଇପୁର ଜେନାସାହିର ଅଭାବୀ ଲୋକଙ୍କ ଆଖିରୁ ଲୁହ ଏବେ ବି ଶୁଖିନାହିଁ।ସୂଚନା ଥାଉକି ଉକ୍ତ ପଂଚାୟତ ର ଜୈନିକ ପ୍ରଭାବଶାଳୀ ନେତା ବ୍ଲକ ପ୍ରଶାସନ ଙ୍କୁ ନିଜ ନିୟନ୍ତ୍ରଣ ରେ ରଖି ଉକ୍ତ ପଂଚାୟତ ରେ ବନ୍ୟା ମୁକାବିଲା କରୁଥିବା ବେଳେ ନିଜ ପଂଚାୟତ ବିପନ୍ନ ଙ୍କୁ ଅଣ ଦେଖା କେତେ ଦୂର ଠିକ ବୋଲି ଉକ୍ତ ଅଂଚଳର ବନ୍ୟାବିପନ୍ନ ମାନେ କହିଛନ୍ତି। ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।