Odiapua.com

ବନ୍ୟା ପରେ ଧାମନଗରରେ ପହଞ୍ଚିଲା ରିଲିଫ:୧୮ ହଜାର ୩୯୦ କୁଇଣ୍ଟାଲ ଚାଉଳ ଓ ୧୨୮ ମେଟ୍ରିକ ଟନ ଗୋଖାଦ୍ୟ

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ଲଗାଣ ବର୍ଷା ଓ ବନ୍ୟାର ବିଭିଷିକା ପରେ ନାହିଁନଥିବା କ୍ଷତି ହୋଇଛି । ବ୍ଲକର ୨୭ ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଥିବା ରିପୋର୍ଟ ପ୍ରସ୍ତୁତ ପରେ ଆଜି ବନ୍ୟା ବିପନ୍ନଙ୍କ ପାଇଁ ଧାମନଗରରେ ପହଞ୍ଚିଛି ରିଲିଫ ସାମଗ୍ରୀ ଓ ଗୋଖାଦ୍ୟ । ଏହି ୨୭ ପଞ୍ଚାୟତର ୩୬ ହଜାର ୭୭୯ ପରିବାର ପାଇଁ ଏହି ରିଲିଫ ବାବଦକୁ ୧୮ ହଜାର ୩୮୯ କୁଇଣ୍ଟାଲ ଚାଉଳ ୫୦ କିଲୋ ଚାଉଳ ବନ୍ୟା ବିପନ୍ନଙ୍କ ନିକଟକୁ ଆଜି ପଠାଯାଇଛି । ଆଜି ବ୍ଲକର ୮ଟି ପଞ୍ଚାୟତକୁ ଯୋଗାଣ କରାଯାଇଥିବା ବେଳେ ଆସନ୍ତାକାଲି ଠାରୁ ଅନ୍ୟ ପଞ୍ଚାୟତକୁ ପଠାଇବାର ବ୍ୟବସ୍ଥା କରାଯିବ । ଚାଉଳ ସହିତ ବିପନ୍ନ ପରିବାରଙ୍କ ପାଇଁ ୧ କୋଟି ୮୩ ଲକ୍ଷ ୮୯ ହଜାର ୫ଶହ ଟଙ୍କା ମଧ୍ୟ ଦିଆଯିବ । ପ୍ରତି ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ପାଞ୍ଚଶହ ଟଙ୍କା ଲେଖାଏଁ ରିଲିଫ ପ୍ରଦାନ କରାଯିବ । ସେହିପରି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଗୋରୁଗାଈ, ଛେଳି ଓ ମେଣ୍ଢାଙ୍କ ପାଇଁ ୧୨୮ ମେଟ୍ରିକଟନ ଗୋଖାଦ୍ୟ ବନ୍ୟା ଓ ଲଗାଣ ବର୍ଷା ପ୍ରଭାବିତ ପଞ୍ଚାୟତକୁ ଦିଆଯାଇଛି । ଗୋରୁଙ୍କ ପାଇଁ ୩ ଦିନ ପାଇଁ ୩ କିଲୋ ଓ ଛେଳି ପାଇଁ ୩ ଦିନ ପାଇଁ ୭୫୦ ଗ୍ରାମର ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ରାଜସ୍ୱ ଓ କୃଷି ବିଭାଗର ମିଳିତ ପ୍ରାଥମିକ ତଦନ୍ତ ଅନୁଯାୟୀ ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ଧାମନଗର ବ୍ଲକର ୩୧ ପଞ୍ଚାୟତ ଓ ଧାମନଗର ଏନଏସି ଅଞ୍ଚଳର କ୍ଷୟକ୍ଷତି ଆକଳନ କରାଯାଇଛି । ଏଥିରେ ୨୬୨୬ଟି କଚ୍ଚା ଘର ନଷ୍ଟ ହୋଇଥିବା ବେଳେ ୩୭୦୦ ଗୋରୁ ଗୁହାଳ ଘର ନଷ୍ଟ ହୋଇଛି । ୧୧ ହଜାର ୭୭୭ ହେକ୍ଟର ଚାଷଜମି କ୍ଷୟକ୍ଷତି ଘଟିଛି । ବିଡିଓ ଦୁର୍ଗାଚରଣ ମୁର୍ମୁ, ଅତିରିକ୍ତ ବିଡିଓ ସୁଶ୍ରୀ ଶର୍ମିଷ୍ଠାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରିଲିଫ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା କରାଯାଇଛି । ବ୍ଲକର ପ୍ରତି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରିଲିଫର ସୁପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି ।