Odiapua.com

ବନ୍ୟା ପରିସ୍ଥିତି ଯୋଗୁଁ ଘୁଞ୍ଚିଲା ଯୁକ୍ତ-୩ ନାମଲେଖା ଅବଧି

ଭୁବନେଶ୍ୱର, ୨୪/୦୮ (ଓଡ଼ିଆ ପୁଅ) ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି। ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ ୩ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଅନ୍‌ଲାଇନ୍ ସିଏଏଫ୍ ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖ ନିର୍ଦ୍ଧାରିତ କରାଯାଇଛି। ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୨ ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବାବେଳେ ଏବେ ଏହାକୁ ସେପ୍ଟେମ୍ବର ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ସ୍ଥିର କରାଯାଇଥିବାବେଳେ ଏହାକୁ ସେପ୍ଟେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ସୂଚୀ ଅନୁଯାୟୀ ତତ୍କାଳ ନାମଲେଖା (ସ୍ପଟ୍ ସିଲେକ୍ସନ୍)ର ଅବଧି ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାର ଥିଲା। ଏବେ ତାହାକୁ ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଏହାର ଏକ ସଂପୂର୍ଣ୍ଣ ବିବରଣୀ SAMS website www.samsodisha.gov.inରେ ଉପଲବ୍ଧ।