Odiapua.com

ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଭଣ୍ଡାରିପୋଖରୀ ଆସିଲାନି କେନ୍ଦ୍ରୀୟ ଟିମ; ବନ୍ୟାଞ୍ଚଳ ପ୍ରତି ଉପହାସ

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗସ୍ତରେ ଗତ ବୁଧବାର ଆସି ଗୁରୁବାର ବିଦାୟ ନେଇଥିବା କେନ୍ଦ୍ରୀୟ ବନ୍ୟାକ୍ଷୟକ୍ଷତି ଅନୁଧ୍ୟାନକାରୀ ଦଳ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିନଥିବାରୁ ସ୍ଥାନୀୟ ବନ୍ୟା ବିପନ୍ନଙ୍କ ପକ୍ଷରୁ ନୈରାଶ୍ୟ ପ୍ରକାଶ ପାଇଛି । ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ବିଶେଷ କରି କଣ୍ଟିଘାଇ ପରିଦର୍ଶନକୁ ଏଡାଇ ଯାଇଥିବାରୁ ବିପନ୍ନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବୈତରଣୀ ବନ୍ୟାଜଳ କଣ୍ଟିଘାଇ ଓ ବାଳିପୋଖରୀଏସକେପ ଦେଇ ପ୍ରବାହିତ ହୋଇ ଭଣ୍ଡାରିପୋଖରୀ ବ୍ଲକର ୯ଟି ପଞ୍ଚାୟତର ୪୩ ଗ୍ରାମ ଗୁରୁତର ଭାବେ ପ୍ରଭାବିତ ହେବା ସରକାରୀ ଭାବେ ଘୋଷଣା କରାଯାଇଛି । ଏହି ସବୁ ଗ୍ରାମର ବିସ୍ତୀର୍ଣ୍ଣ ଚାଷ ଜମି ଅଞ୍ଚଳରେ କ୍ଷତି ଘଟାଇଥିବା ବେଳେ ବନ୍ୟାରେ ରାସ୍ତାଘାଟ, ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଏପରିକି ବନ୍ୟାରେ ରହଣିଆ ଓ ଷୋଳମପୁର ପଞ୍ଚାୟତର ଦୁଇ ଜଣ ପ୍ରାଣ ହରାଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ କୃଷି ବିଭାଗ ନିର୍ଦ୍ଦେଶକ ଏମ. ମୁଥୁକୁମାର, ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ଯୁଗଳ କିଶୋର ତ୍ରିପାଠୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାପାଳ ଜ୍ଞାନ ଦାସ ଏହି ଦଳରେ ସାମିଲ ହୋଇ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ଯାଜପୁର ଜିଲ୍ଲାର ବିଦାୟ ସ୍ଥାନରୁ ଭଦ୍ରକ ଜିଲ୍ଲା ପାଇଁ କେନ୍ଦ୍ରୀୟ ଦଳକୁ ସ୍ୱାଗତ କରାଯାଇ ଭଣ୍ଡାରିପୋଖରୀ ଅତିକ୍ରମ କରି ଧାମନଗର ଆଦି ଅଞ୍ଚଳକୁ ନିଆଯାଇଥିଲା । ମାତ୍ର ଭଣ୍ଡାରିପୋଖରୀ ବନ୍ୟା ଅଞ୍ଚଳକୁ ଅନୁଧ୍ୟାନରୁ ଏଡାଇ ଦିଆଯାଇଥିବାରୁ ବନ୍ୟାଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦୋଷାରୋପ କରାଯାଇଛି । ବିଜେପି ନେତା ବଦ୍ରୀନାରାୟଣ ଧଳ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ସମାଲୋଚନା କରିବା ସହ ବ୍ଲକ ବନ୍ୟାଞ୍ଚଳବାସୀଙ୍କ ପ୍ରତି ଏହା ଉପହାସ ବୋଲି ମତ ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ବନ୍ୟା ବିତ୍ପାତର ମୁଖ୍ୟ ଉତ୍ସ କଣ୍ଟିଘାଇର ସ୍ଥିତି ପରିଦର୍ଶନ କରିବା କେନ୍ଦ୍ରୀୟ ଟିମ ପାଇଁ ଜରୁରୀ ଥିଲା । କାରଣ ଏହା ଦ୍ୱାରା କଣ୍ଟିଘାଇ ସମସ୍ୟା ସମାଧାନର ବାଟ ଫିଟିପାରି ଥାନ୍ତା । କେନ୍ଦ୍ରୀୟ ଟିମଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସୂଚୀ ପ୍ରସ୍ତୁତି ଦାଇତ୍ୱରେ ଥିବା ଜିଲ୍ଲାପ୍ରଶାସନ କେଉଁ ଅଦୃଶ୍ୟ ଇଙ୍ଗିତରେ କଣ୍ଟିଘାଇ ପରିଦର୍ଶନକକୁ ବାଦ ରଖିଲା ତାହା ସ୍ପଷ୍ଟ କରୁବୋଲି ଶ୍ରୀ ଧଳ ଜିଲ୍ଲାପାଳଙ୍କୁ ଆହ୍ୱାନ ଦେଇଛନ୍ତି । କଂଗ୍ରେସ ନେତା ସୁବ୍ରତ ଦାସ ଏହାକୁ ଦୁର୍ଭାଗ୍ୟଜନକ ବୋଲି ପ୍ରତିକ୍ରିୟା ଦେଇ ବନ୍ୟା ହେଲେ ପ୍ରଶାସନ ଓ ଶାସକ ଦଳ ଫାଇଦା ଉଠାଉଥିବାରୁ ବନ୍ୟା ଦୁର୍ଦ୍ଦଶା ଦୂର ପାଇଁ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । କଣ୍ଟିଘାଇ ପରିଦର୍ଶନ ତାଲିକାରୁ ବାଦ ପଡିବା ଏହାର ଏକ ଉଦାହରଣ ବୋଲି ମତ ଦେଇଛନ୍ତି । ଭଣ୍ଡାରିପୋଖରୀ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ କେନ୍ଦ୍ରୀୟ ଦଳ ସୂଚୀ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଜିଳ୍ଲା ପ୍ରଶାସନକୁ ବିଧାୟକ ପ୍ରଫୁଲ୍ଲ ସାମଲ ଅନୁରୋଧ କରିଥିଲେ । ମାତ୍ର କେନ୍ଦ୍ରୀୟ ଦଳ ବିଜେପି ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କୁ ଗୁରୁତ୍ୱ ଦେଇ ଧାମନଗର ଯାଇଥିବାରୁ ଭଣ୍ଡାରିପୋଖରୀ ସମ୍ଭବତଃ କେନ୍ଦ୍ରୀୟ ଅନୁଧ୍ୟାନରୁ ବାଦ ପଡିଥିଲା ବୋଲି ବିଜୁ ଜନତା ଦଳ ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।