Odiapua.com

ବନ୍ୟା ଆସିଲେ ଚେତା ପଶେ!, କଂଟିଘାଇ ମୁହଁ ଖୋଳାନାଳ ବନ୍ଧ ସଂପୂର୍ଣ୍ଣ ପାଇଁ ଦାବି

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର କଂଟିଘାଇ ଭଣ୍ଡାରିପୋଖରୀ ବ୍ଲକର ପାଂଚ ଗୋଟି ପଂଚାୟତ ପାଇଁଁ ଅଭିଶାପ ପାଲଟିଛି। ବନ୍ୟା ପୂର୍ବରୁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଅପେକ୍ଷା ବନ୍ୟା ପାଣି ଆସିଲେ ବିଭାଗର ଚେତା ପଶେ।ହେଲେ ପରେ କୌଣସି କାର୍ଯ୍ୟ ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ନଦୀରେ ବନ୍ୟା ଆସିଲେ ଅଂଚଳ ବାସୀଙ୍କ ଆଖି ଆଗରେ ନାଚି ଯାଏ କଂଟି ଘାଇର କରାଳ ରୂପ।ମନୁଷ୍ୟ କୃତ ଏହି ଘାଇ ଯୋଗୁଁ ଦୀର୍ଘ ଆଠ ଦଶନ୍ଧି ମଧ୍ୟରେ କେତେ ଚାଷ ଜମି ବାଲିଚର ହୋଇ ଯାଇଛି ତାହାର ହିସାବ ନାହିଁ।ଏହାଛଡା ଅନେକ ବାସସ୍ଥାନ ଓ ଗ୍ରାମ୍ୟ ରାସ୍ତା ନିଶ୍ଚିହ୍ନ ହୋଇ ଯାଇଥିବା ବେଳେ କଂଟି ଘାଇରୁ ନିଷ୍କାସିତ ବନ୍ୟା ଜଳରେ ଭାସି ଯାଇବିଭିନ୍ନ ସମୟରେ ଅନେକ ଲୋକ ଓ ଗୃହପାଳିତ ପ୍ରାଣୀ ପ୍ରାଣ ହରାଇଛନ୍ତି। ପରିବର୍ତିତ ପାଣିପାଗ ଯୋଗୁଁ ଗତ ଚାରି ପାଂଚ ବର୍ଷ ଭିତରେ ବୈତରଣୀରେ ସେଭଳି ବଡ ବନ୍ୟା ଆସିନାହିଁ ତେଣୁ ଉକ୍ତ ଘାଇର ଭୟଙ୍କର ରୂପ ନିକଟରେ ଦେଖାଯାଇନାହିଁ। ତଥାପି କିଛି ବିଭାଗୀୟ ତ୍ରୁଟି ପାଇଁଁ ନଦୀରେ ମଧ୍ୟମ ଧରଣର ବନ୍ୟା ଆସିଲେ ସୁଦ୍ଧା କଂଟି ଘାଇରୁ ନିଷ୍କାସିତ ପାଣି ଯୋଗୁଁ ହଜାର ହଜାର ଲୋକ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଂଟି ଘାଇ ମୁହଁରେ ବାମ ପାର୍ଶ୍ୱକୁ ଷୋଳମପୁର ପଂଚାୟତ ଅଧୀନ ଚାଙ୍ଗୁଆ,ବାହାଣିଆ, ବିରୋଳି ଗାଁ ରହିଛି। ସେହିଭଳି ଦକ୍ଷିଣ ପାର୍ଶ୍ୱରେ ଷୋଳମପୁର,ଖପୁରିଆପଦା, ବରାହନୂଆପଡା ପ୍ରମୁଖ ଗାଁ ରହିଛି। ଏହାଛଡା ବାମ ପାର୍ଶ୍ୱର ଅନତି ଦୂରରେ ରହଣିଆ,ମାଳଦା, ନପଙ୍ଗ ଓ କୁରିଗାଁ ପଂଚାୟତ ଅବସ୍ଥିତ। ବୈତରଣୀ ନଦୀରେ ବନ୍ୟା ଆସିଲେ ଅର୍ଦ୍ଧାଧିକ ପାଣି ସିଧା କଂଟି ଘାଇ ଦେଇ ନିଷ୍କାସନ ହ୍ୱୋ ସହିତ ପ୍ରଥମେ ଏହା ଚାଙ୍ଗୁଆ ଅତିକ୍ରମ କରି ଏହି ଚାରି ଗୋଟି ପଂଚାୟତ ଅଂଚଳକୁ ମାଡି ଆସିଥାଏ। ଏହାଛଡା ଡାହାଣ ପାର୍ଶ୍ୱରେ ଥିବା ଷୋଳମପୁର ଅଂଚଳକୁ ମଧ୍ୟ ବନ୍ୟାଜଳ ପ୍ରଭାବିତ କରିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖୋଳା ମୁହଁ ଛକ ଠାରୁ ଚାଙ୍ଗୁଆ ଗାଁ ଶେଷ ଯାଏଁ ଜଳସମ୍ପଦ ବିଭାଗ ପକ୍ଷରୁ କଂଟିଘାଇ ସଂଲଗ୍ନ ଖୋଳା ନାଳରେ ଏକ ବନ୍ଧ ନିର୍ମାଣ ହୋଇଛି। ସେଠାରୁ ରଘୁନାଥପୁର ଯାଏଁ ପ୍ରାୟ ୩୦୦ମିଟର ପାଟ ଅଂଚଳ ସମ୍ପୂର୍ଣ୍ଣ ଫାଙ୍କା ରହିଛି।ଯାହାକି ନଦୀରେ ସାମାନ୍ୟ ଓ ମଧ୍ୟମ ଧରଣର ବନ୍ୟା ଆସିଲେ ମଧ୍ୟ ଏହା ଘାଇ ଅତିକ୍ରମ କରି ତତକ୍ଷଣାତ୍ ଏହି ସ୍ଥାନ ଦେଇ ଚାରିଗୋଟି ପଂଚାୟତକୁ ମାଡି ଆସୁଛି। ଫଳରେ ଚାଷ ଜମି, ଗ୍ରାମ୍ୟ ରାସ୍ତା,ପାଳକ୍ଷେତ ଓ ଖାଲୁଆ ସ୍ଥାନରେ ଥିବା ବାସସ୍ଥାନ ବନ୍ୟା ପାଣି ଦ୍ୱାରା ଅତ୍ୟଧିକ ପ୍ରଭାବିତ ହେଉଛି। ଯଦିଓ ମଧ୍ୟମ ଧରଣର ବନ୍ୟା ସମୟରେ ବୈତରଣୀ ପାଣି ଏକୂଳ ସେକୂଳ ହେଉ ନାହିଁ କିନ୍ତୁ ଅସମ୍ପୂର୍ଣ୍ଣ ବନ୍ଧ ଯୋଗୁଁ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାଛଡା ଡାହାଣ ପାର୍ଶ୍ୱ ବରାହନୂଆପଡା ଯାଏଁ ଫାଙ୍କା ଥିବାରୁ କଂଟିଘାଇ ନିର୍ଗତ ପାଣି ଦ୍ୱାରା ଷୋଳମପୁର ପଂଚାୟତ ଅଂଚଳ କେତେକାଂଶରେ ପ୍ରଭାବିତ ହେଉଛି। ଦଳମତ ନିର୍ବିଶେଷରେ କଂଟିଘାଇ ଉଚ୍ଚତା ବୃଦ୍ଧି ପାଇଁଁ ଦାବି ହେଉଥିବା ବେଳେ ଏହି ଅସମ୍ପୂର୍ଣ୍ଣ ବନ୍ଧ କାର୍ଯ୍ୟ ଉପରୁ ସମସ୍ତଙ୍କ ନଜର ହଟି ଯାଇଛି। ଯଦିଓ ସ୍ଥାନୀୟ ଲୋକମାନେ ଚାଙ୍ଗୁଆ ଠାରୁ ରଘୁନାଥପୁର ଯାଏଁ ବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଓ ଡାହାଣ ପାର୍ଶ୍ୱରେ ନୂତନ ଘେରି ବନ୍ଧ ନିର୍ମାଣ ପାଇଁଁ ଜଳସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀ ମାନେ ନଜର ଦେଉନାହାନ୍ତି।ଘାଇର ଉଚ୍ଚତା ବୃଦ୍ଧି ସମ୍ପର୍କିତ ଦାବି ସରକାରଙ୍କ ସ୍ୱତନ୍ତ୍ର ବିଚାରାଧୀନ କମିଟି ହାତରେ ରହିଥିବା ବେଳେ ଉକ୍ତ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେଣୁ ବୈତରଣୀ ନଦୀରେ ଆସୁଥିବା ସାମାନ୍ୟ ତଥା ମଧ୍ୟମ ଧରଣର ବନ୍ୟା ଦାଉରୁ ଚାରି ପାଂଚ ଗୋଟି ପଂଚାୟତ ଅଂଚଳକୁ ସୁରକ୍ଷା ଦେବା ପାଇଁଁ ସର୍ବ ପ୍ରଥମେ କଂଟି ଘାଇ ସଂଯୁକ୍ତ ଖୋଳା ନାଳ ବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁଁ ଦାବି ହୋଇଛି।