Odiapua.com

ବନ୍ୟା ଆଣିଛି ଚାଷୀଙ୍କ ଦୁର୍ଦଶା:ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ଚାଷୀ : ଚଳିବେ କେମିତି ଖାଇବେ କଣ

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନେକ ଆଶା ଓ ଭରସା କରି ଏବଂ ଋଣକରି ଚାଷୀ ଏଥର ବର୍ଷକ ପାଇଁ ନିଜ ପରିବାର ଭରଣ ପୋଷଣ କରିବାକୁ ଲକ୍ଷ୍ୟ ରଖିଥିଲା । ମୌସୁମୀ ବିଳମ୍ବରେ ଆସିଥିଲେ ବି ଖରିଫ ଧାନ କ୍ଷେତରେ ଭଲ ହୋଇଥିଲା । ହେଲେ କରାଳରୂପି ବନ୍ୟା ଚାଷୀଙ୍କ ବର୍ଷକର ଭାତହାଣ୍ଡିକୁ ଉଜାଡି ଦେଇ ଚାଲିଗଲା । ଏବେ ନିଜ ପରିବାର ପ୍ରତିପୋଷଣ କିପରି କରିବ ତାହାକୁ ନେଇ ଚିନ୍ତାରେ ପଡିଯାଇଛି ଚାଷୀ । ବିଳମ୍ବରେ ହେଲେବି ଚାଷୀ ବିଲରେ ରୁଆ ପୋତା କରିଥିଲା । କ୍ଷେତରେ ଧାନ ବି ଭଲ ହୋଇଥିଲା । ବର୍ଷକ ପରିବାରର ପ୍ରତିପୋଷଣ କରିବା ସହିତ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଚାଷୀ କ୍ଷେତରେ ଦିନରାତି ଏକକରି ଭଲ ଫସଲ ଅମଳ କରିବାକୁ ଲକ୍ଷ୍ୟ ରଖିଥିଲା । ହେଲେ ପ୍ରଥମେ ଲଘୁଚାପ ଜନିତ ସପ୍ତାହ ଧରି ଲଗାଣ ବର୍ଷା ପରେ କରାଳରୂପି ମହାବନ୍ୟା ଯୋଗୁଁ ଚାଷୀଙ୍କ ସୁନାର ଫସଲ ନଷ୍ଟ ହୋଇଯାଇଛି । ବୈତରଣୀ, କୋଚିଳା, ଗେଙ୍ଗୁଟି, ରେବ, କପାଳି ଓ ଯ ନଦୀରେ ବନ୍ୟା ଆସି ବ୍ଲକର ୨୭ ପଞ୍ଚାୟତର ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ୱ ଚାଷଜମି କ୍ଷୟକ୍ଷତି ଘଟିଛି । ବନ୍ୟା ଛାଡିବା ପରେ ଏବେ ଚାଷଜମିରେ ହୋଇଥିବା ଧାନ ଗଛ ଗୁଡିକ ପଚି ଯାଇଛି । କେତେକ ଉଚ୍ଚାଜମିରେ ଧାନରେ ପଟୁ ଲାଗି ତାହା ଶୁଖିଲା ପଡି ଯାଇଛି । କ୍ଷେତକୁ ଦେଖି ଚାଷୀ ପୁଣି ଏହା ଗଛ ହୋଇ ଫଳ ଧରିବ ଆଶଙ୍କା କରିବା ବୃଥା ହୋଇଛି । ଆଉ ବି ଚାଷୀଙ୍କ ପାଖରେ ସମୟ ନାହିଁ ବୁଣାବୁଣି କି ରୁଆପୋତା କରି ଧାନ ଅମଳ କରିବା ପାଇଁ । ଚଳିତ ବର୍ଷ ଆଉ ଧାନ ଫସଲ କରିବା ସମ୍ଭବପର ନୁହେଁ ବୋଲି ଚାଷୀ ମତ ଦେଇଛନ୍ତି । କରଳାରୂପି ବନ୍ୟା ଚାଷୀଙ୍କ ସବୁ ସୁଖ ଛଡାଇ ନେଇଛି । ଯେଉଁ ଜମିରୁ ବନ୍ୟାଜଳ ଛାଡିଛି ତାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବ୍ଲକର ପ୍ରାୟ ସମସ୍ତ ପଂଚାୟତ ସମେତ ଧାମନଗର ଏନଏସି ଅଞ୍ଚଳର ଖରିଫ ଧାନଚାଷୀ ଓ ପରିବା ଚାଷୀ ପ୍ରଭାବିତ ହୋଇଛନ୍ତି ।

ବିଶେଷକରି ବ୍ଲକର ପଧାନୀ, ସୋହଡା, କରଦା, ଦଳାଙ୍ଗ, ଖଡିପଦା, ଦିହୁଡି ଆନନ୍ଦପୁର, ହସନାବାଦ, ଭଟ୍ଟସାହି, ଅର୍ଜୁନପୁର, ନଦୀଗାଁ, କୋଠାର, ବୟାଙ୍ଗଡିହ, ପାଳସାହି, ରଇପୁର, ଧୁଷୁରୀ, ସାହସପୁର, ବମକୁରା, କଟସାହି, ଖପରପଦା, ରାଧାବଲ୍ଲଭପୁର, ଦୋବଲ, ମୁସ୍ତାଫାପୁର ଆଦି ପଞ୍ଚାୟତରେ ବନ୍ୟା ପ୍ଲାବିତ ଯୋଗୁଁ ଏହିସବୁ ଅଞ୍ଚଳର ଖରିଫ ଧାନ ସହିତ ପରିବା ଚାଷ ନଷ୍ଟ ହୋଇଛି । ଖରିଫ ଧାନ କରିଥିବା ଚାଷୀ ଗୋଲେଖ ମହାନ୍ତି, ଦିପ୍ତିରଂଜନ ମହାପାତ୍ର, ନରେଶ ମହାନ୍ତି, କାଙ୍କାଳି ସେଠୀ, ଆନନ୍ଦ ମହାପାତ୍ର, ପ୍ରଭାତ ପଣ୍ଡା, ରାମଚନ୍ଦ୍ର ସାହୁ ଆଦି କହନ୍ତି, ଚାଷରୁ ଉପାର୍ଜିତ ଅର୍ଥରୁ ଆମ୍ଭେ ବର୍ଷକ ପାଇଁ ପରିବାର ପ୍ରତିପୋଷଣ କରିଥାଉ । ହେଲେ ବନ୍ୟା ଯୋଗୁଁ ଏବେ ଚାଷଜମିକୁ ଅନାଇବା ଦୁଃଖ ଲାଗୁଛି । ଜମିରେ ଧାନ ଦେଖାଯାଉନି । ସବୁ ପଚି ନଷ୍ଟ ହୋଇଯାଇଛି । ଏଥର ପରିବାର ଚଳାଇବୁ କିପରି କହି ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ସୋଧ ଗ୍ରାମର ଚାଷୀ ରାଜକିଶୋର ସାହୁ କହନ୍ତି, ଉତ୍ତମ ଚରଣ କୁଣ୍ଡୁ ଓ କୁଶଧ୍ୱଜ ସାହୁ କହନ୍ତି, ଆଉ ସମୟ ନାହିଁ ରୁଆ-ପୋତା କରି ଚାଷ କରିବା । ବହୁ ପରିଶ୍ରମ ଓ ଅର୍ଥ ବ୍ୟୟ କରି ଯେଉଁ ଚାଷ କରାଯାଇଥିଲା ତାହା ବନ୍ୟା ଧୋଇନେଇଛି ବୋଲି ପ୍ରକାଶ କରିଛନ୍ତି । ତେବେ ଅନେକ ଚାଷୀ ଗାଁଉଲି ସୁଧିଆ ଓ ବିଭିନ୍ନ ବ୍ୟାଙ୍କରୁ ଋଣ କରି ଚାଷକାର୍ଯ୍ୟରେ ଲଗାଇ ଥିଲେ । ଚାଷରୁ ଉପାର୍ଜିତ ଅର୍ଥକୁ ପରିବାର ଚଳାଇବା ସହିତ ଧାରକରଜ ମଧ୍ୟ ସୁଜିଥାନ୍ତି । ଧାନ ତ ଗଲା ଏବେ ଋଣ ପରିଶୋଧ ସହିତ ପରିବାର ପ୍ରତିପୋଷଣ କରିବେ କିପରି ଚଳିବେ କିମିତି ଓ ଖାଇବେ କିମିତି ତାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି । ସରକାର ତୁରନ୍ତ ଚାଷୀଙ୍କ ପାଇଁ ଋଣଛାଡ ସହିତ ଆଗାମୀ ରବି ଫସଲ ପାଇଁ ବ୍ୟବସ୍ଥା କରିବାକୁ ଚାଷୀମାନେ ନିବେଦନ କରିଛନ୍ତି ।