ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ସପ୍ତାହରେ ଆସିଥିବା ବନ୍ୟା ଧାମନଗର ବ୍ଲକରେ ପ୍ରଭୂତ କ୍ଷତି ଘଟାଇଛି।ପ୍ରଖର ସ୍ରୋତ ପ୍ରବାହିତ ହୋଇ ଅଧିକାଂଶ ସଡକ ଶୋଚନୀୟ ହୋଇଯାଇଛି।ଯାହା ଫଳରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଧାମନଗର ବନ୍ୟାରେ କ୍ଷତିଗ୍ରସ୍ତ ଗ୍ରାମ୍ୟ ରାସ୍ତା ଓ ଭିତିଭୂମିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଯାମିନୀ ଷଡ଼ଙ୍ଗୀ ଗୁରୁବାର ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ଜୋନ୍ର ବିଭିନ୍ନ ଅଂଚଳ ଗସ୍ତ କରିଥିଲେ। ବିଭାଗୀୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଙ୍ଗଳପୁର-ଝାଟିଆସାହି ରାସ୍ତାର ବନ୍ୟାଜନିତ କ୍ଷୟକ୍ଷତି ବୁଲି ଦେଖିବା ପରେ ସ୍ଥାନୀୟ ଦେଶବନ୍ଧୁ ନୋଡାଲ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହରେ ପାଠପଢ଼ା, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟର ପରିବେଶ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।ଏଥି ସହ ଅସୁରାଳି ପଂଚାୟତର ମଦନ ନଗର ଅଙ୍ଗନବାଡ଼ି କେନ୍ଦ୍ରରେ ପହଂଚି ଶିଶୁମାନଙ୍କୁ ମିଳୁଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍-ଶିକ୍ଷା ଓ କେନ୍ଦ୍ରର କାର୍ଯ୍ୟକଳାପ ସମୀକ୍ଷା କରିଥିଲେ। ଫତେପୁର-ପତ୍ରିସାହି ଏବଂ ଧୂଷୁରୀ-ପଛାଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତାଗୁଡ଼ିକର ବନ୍ୟାଜନିତ କ୍ଷୟକ୍ଷତି ସ୍ଥଳ ପରିଦର୍ଶନ କରି ଥିଲେ। ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସରୋଜ ଦତ, ଧାମନଗର ଏବିଡିଓ ଶର୍ମିଷ୍ଠା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ହିମାଦ୍ରି ତନ୍ମୟ ସାମଲ, ଉପଖଣ୍ଡ ଯନ୍ତ୍ରୀ କୃତିବାସ ମହାପାତ୍ର ନିର୍ବାହୀ ଯନ୍ତ୍ରୀ ଗଣେଶ ଚନ୍ଦ୍ର ହେମ୍ବ୍ରମ ତନୟ ସାମଲ,କନିଷ୍ଠ ଯନ୍ତ୍ରୀ ରୂପକ କୁମାର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଅଂଚଳର ଲୋକ ପ୍ରତିନିଧି ବିଭିନ୍ନ ସ୍ଥାନର କ୍ଷୟକ୍ଷତି ବିଷୟରେ ସଚିବଙ୍କୁ ଅବଗତ କରାଇଥିଲେ।