Odiapua.com

ବନ୍ୟାପାଣିରେ ଭାସିଯାଇ ଚାଷୀ ମୃତ

ହାଟଡିହି, ୨୨। ୮ : (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜାବିନିପୁର ଗ୍ରାମରେ ଜଣେ ଚାଷୀ ବନ୍ୟାଜଳରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ଗତ ଶନିବାର ରାତିରେ ବୈତରଣୀ ନଦୀରେ ବନ୍ୟା ଆସି ହାଟଡିହି ବ୍ଲକର ଆଇତିପୁର, ଗେଡ଼ମା, ହାବଳେଶ୍ୱର, ସମଣା, ଆମ୍ବୋ ଆଦି ପଞ୍ଚାୟତର ବିଭିନ୍ନ ଗାଁକୁ ଜଳବନ୍ଦୀ କରିଥିଲା। ଏଥିରେ ଜାବିନିପୁର ଗ୍ରାମର ଏକର ଏକର ଚାଷଜମି ବନ୍ୟାପାଣିରେ ବୁଡ଼ି ଯାଇ ବିଲରେ ସ୍ରୋତ ଚାଲିଥିଲା। ଏହି ସମୟରେ ଜାବିନିପୁର ଗ୍ରାମର ଟଭା ମୁଣ୍ଡାଙ୍କ ପୁଅ ଧୁଶାସନ ମୁଣ୍ଡା(୩୦) ବିଲରେ ରୋଇଥିବା ଧାନର ସ୍ଥିତି ପରଖିବାକୁ ନିଜ ବିଲକୁ ଯାଇ ଆଉ ଫେରି ନଥିଲେ। ଗତକାଲି ରାତି ସୁଧା ସେ ନଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଆଜି ଟିକେ ପାଣି କମିଯିବା ପରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀମାନେ ପାଣି ଭିତରୁ ଧୁଶାସନଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରୁଛି।