ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗେଳପସାଗରରେ ସୃଷ୍ଟି ଅବପାତ ଜନୀତ ପ୍ରବଳ ବର୍ଷା ପାଇଁ ଭଦ୍ରକ ସହର ମଧ୍ୟଦେଇ ପ୍ରବାହିତ ସାଳନ୍ଦୀ ଓ ଏହାର ଶାଖା ନାଳିଆ ନଦୀରେ ପ୍ରବଳ ବନ୍ୟା ଆସିଛି। ୧୯୯୯ ମହାବାତ୍ୟା ପରେ ଏହି ବନ୍ୟା ସବୁଠାରୁ ବଡ଼ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ବନ୍ୟାଚଂଳ ବୁଲି ବନ୍ୟା କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି। ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏହି ଦଳ ଭଦ୍ରକ ବିଧାନସଭା ଅଧୀନ ବିଷ୍ଣୁପୁର ବିନ୍ଧା, ଅନ୍ନପାଳ, ମୁକୁନ୍ଦପୁର, ରାଜୁଆଳିବିନ୍ଧା, ଦୋଳପଦୀ, ସୁଶୁଆ, ରାଜମୁକୁନ୍ଦପୁର ପ୍ରଭୃତି ଅଂଚଳ ବୁଲି ବନ୍ୟା ପିଡ଼ିତଙ୍କୁ ଭେଟିଥିଲେ। ପିଡ଼ିତଙ୍କ ଅଭିଯୋଗ ଅନୁଯାୟୀ ସେମାନେ ୩ଦିନ ହେବ ପାଣିଘେରରେ ଅଛନ୍ତି। ପ୍ରଶାସନ କିମ୍ବା ନିର୍ବାଚିତ ଜନ ପ୍ରତିନିଧିଙ୍କ ଦେଖାଦର୍ଶନ ନାହିଁ। ବନ୍ୟା ପ୍ରଭାବରେ ବହୁ ଘର ଭାଙ୍ଗିଥିବାବେଳେ, ସେମାନଙ୍କୁ ପଲିଥିନ ଖଣ୍ଡେ ମିଳିନି। ରିଲିଫ, ରନ୍ଧା ଖାଦ୍ୟ ମଧ୍ୟ ମିଳିନଥିବା ବନ୍ୟା ଦୁର୍ଗତମାନେ ଅଭିଯୋଗ କରିଛନ୍ତି। ଦୀର୍ଘବର୍ଷର ଦାବି ପରେ ମଧ୍ୟ ବିଷ୍ଣୁପୁର ବିନ୍ଧା ଅଚଂଳରେ ଏକ ଆଡ଼ିବନ୍ଧ ନିର୍ମାଣ ହେଉନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନୁରୂପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଧାମନଗର ଓ ଭଣ୍ଡାରିପୋଖରୀରେ ମଧ୍ୟ ଲୋକେ ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି। ସେଠାରେ ପ୍ରଶାସନିକ ସହାୟତା ସମୁଦ୍ରକୁ ଶଂଖେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ତୁରନ୍ତ ବନ୍ୟା ପିଡ଼ିତଙ୍କୁ ରିଲିଫ, ଅତି କମରେ ୭ଦିନର ରନ୍ଧା ଖାଦ୍ୟ, ମହମବତୀ, ଗୋଖାଦ୍ୟ ସହିତ ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନ ଯୁଦ୍ଧକାଳୀନ ଭିତିରେ ଦେବା ଓ ବନ୍ୟା ସମସ୍ୟାର ସ୍ଥାୟୀ ସମାଧା ନିମନ୍ତେ ସେ ଦାବି କରିଛନ୍ତି। ଉକ୍ତ ପ୍ରତିନିଧିମଣ୍ଡଳୀରେ ବରିଷ୍ଠ ନେତୃତ୍ୱ ପିତବାସ ଧଳ, ରାଜେନ୍ଦ୍ର ପ୍ରସାଦ ଯେନା, ବିଜୟ ବାରିକ, ସେକ୍ ସବିର ଖାନ, ସୌଭାଗ୍ୟରଂଜନ ରାଉତ, ଚିନ୍ମୟ ସାହୁ, ଅଶୋକ ଦାସ, ରାଜେନ୍ଦ୍ର ପରିଡ଼ା, ସେକ ସଫିରୁଦ୍ଦିନ ପ୍ରମୁଖ ସାମିଲ ଥିଲେ।