Odiapua.com

ବନ୍ଧୁକ ମୁନରେ ଅପହରଣକରି ଲୁଟ ଘଟଣା, ଗିରଫ ହେଲେ ୪ ଅଭିଯୁକ୍ତ

ବଲାଙ୍ଗୀର, ୧୯-୦୭ (ଓଡ଼ିଆ ପୁଅ/ ସନ୍ତୋଷ ନାୟକ) ବାଟରେ ଅଟକେଇ ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ଉଠାଇନେଲେ ଦୁର୍ବୁତ୍ତମାନେ। ଏକ ନିଛାଟିଆ ଜଙ୍ଗଲ ମଧ୍ୟକୁ ଟେକି ନେଇଗଲେ। ୫୦ ହଜାର ଟଙ୍କା ବଟି ମାଗିଲେ। ୫୦ ହଜାର ଟଙ୍କା ନଦେବାରୁ ନିର୍ଦ୍ଧୁମ ପିଟିଲେ। ହାତରୁ ମୁଦି ଓ ବେକରୁ ଚେନ୍ ଛଡାଇନେଲେ। ମନିପର୍ସରୁ ଯାହା ଟଙ୍କା ଥିଲା ଲୁଟିନେଲେ। ଜଙ୍ଗଲ ଭିତରେ ବାନ୍ଧିରଖି ସକାଳୁ କିଛି ଦୂରରେ ଛାଡି ପଳାଇଥିଲେ।

ବନ୍ଧୁକ ଦେଖାଇ ଅପହରଣ ଓ ଡକାୟତି ଘଟଣାରେ ଟାଉନ ଥାନା ପୋଲିସ ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲପଡ଼ାର ସୋମ୍ୟରଞ୍ଜନ ଦାଶ, ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା, ଆକାଶ ଷଣ୍ଢ। ମାଲପଡ଼ାର ପ୍ରଶାନ୍ତ କ୍ଷେତୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୋମ୍ୟରଞ୍ଜନ ଦାଶ ଓ ତାଙ୍କ ୫ ସହଯୋଗୀ ଗତ ୧୬ ତାରିଖରେ ତାଙ୍କୁ ମାଲପଡ଼ା ରିଂରୋଡ୍‌ ନିକଟରୁ ଅପହରଣ କରିନେଇ ବଟଲିଂ ପ୍ଳାଣ୍ଟ ନିକଟ ଜଙ୍ଗଲ ଭିତରକୁ ନେଇ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ଟଙ୍କା ନାହିଁ ବୋଲି କହିବା ପରେ ନିସ୍ତୁକ ମାଡ଼ ମାରି ସୁନାଚେନ୍‌, ମୁଦି ଓ ନଗଦ ୭୫୦୦ ଟଙ୍କା ଲୁଟି ନେଇଥିଲେ। ରାତି ସାରା ପ୍ରଶାନ୍ତଙ୍କୁ ଜଙ୍ଗଲରେ ରଖି ସକାଳୁ ପଥରଚେପାରେ ଛାଡ଼ି ଦେଇଥିଲେ। ଏହା ପରେ ପ୍ରଶାନ୍ତ ଟାଉନ ଥାନାକୁ ଆସି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ସୋମ୍ୟରଞ୍ଜନ ଦାଶଙ୍କ ସହ ୩ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩ ବାଇକ୍‌, ଦୁଇଟି ଟାଙ୍ଗିଆ, ୫ ମୋବାଇଲ ଜବତ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ଏହି ପ୍ରଶାନ୍ତ ଖେତି ବଲାଙ୍ଗୀର ଜିଲ୍ଲା ରେ ନିଶା କଫ ସିରଫ ସାମ୍ରାଜ୍ୟ ବିସ୍ତ।ର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଦମନ କରିବାରେ ସଫଳ ହୋଇଛି।