Odiapua.com

ବନ୍ଦ ହେବନି ବରାଦି ମହାପ୍ରସାଦ : ସୁଆର ମହାସୁଆର ନିଯୋଗ

ପୁରୀ, ୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ବର୍ତ୍ତମାନ ପିତୃ ପକ୍ଷ ଆରମ୍ଭ ହୋଇଥିବାରୁ ପ୍ରତ୍ୟେକ ଘରେ ଘରେ ପିତୃପୁରୁଷଙ୍କ ଉଦେଶ୍ୟରେ ଗୃହକର୍ତ୍ତାମାନେ ନିଜ ଘରେ ଓ ତୀର୍ଥ ପୁଷ୍କରିଣୀ ସହ ବେଳାଭୂମୀରେ ପ୍ରତ୍ୟହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ସହ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି। ତର୍ପଣ କାର୍ଯ୍ୟ ବେଳେ ମହାପ୍ରସାଦର ଆବଶ୍ୟକତା ଯଥେଷ୍ଟ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରାଦି ମହାପ୍ରସାଦ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ବରାଦି ମହାପ୍ରସାଦ ବନ୍ଦ ନକରି ଆମେ ପରିମାଣ କମାଇ ଦେବୁ। ଗତକାଲି ଶ୍ରାଦ୍ଧ ବରାଦି ରେ ୧୨୦୦ ରୁ ୧୩୦୦ ଦାସିଆ ହାଣ୍ଡି ସେଟ ବାହାରିଥିଲା। ଏତଦବ୍ୟତୀତ ବାଇହାଣ୍ଡି ସେଟ ମଧ୍ୟ ବରାଦି ଭୋଗ ରେ ବିକ୍ରି ହୋଇଥିଲା। ଶ୍ରୀମନ୍ଦିର ଉତ୍ତର ଦ୍ୱାର ସମ୍ମୁଖରେ ଆମେ ଗୋଟିଏ କାଉଂଟର ଖୋଲିଥିଲୁ ଏବେ ଗହଳି କମାଇବାକୁ ଦକ୍ଷିଣ ଦ୍ୱାରରେ ଅନ୍ୟ ଏକ କାଉଂଟର ଖୋଲାଯାଇଛି। କୋଭିଡ୍ ସଂକ୍ରମଣ ପରିପେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା କରିଛି। ରୋଷ ଘରେ ନିୟମିତ ୫୦ ରୁ ଅଧିକ ବୋଝିଆ ନିୟୋଜିତ ହେଉଥିବା ବେଳେ ଏବେ ଏହି ସଂଖ୍ୟା କୁ ୨୫ କୁ କମାଇ ଦିଆଯାଇଛି। ସେହିପରି ପାଣିଆ ଙ୍କ ସଂଖ୍ୟା ୫୫ ରୁ ୨୫, ୧୦୦ ପରିବା କଟାଳୀ ଙ୍କ ସ୍ଥାନରେ ମାତ୍ର ୧୫ ଜଣଙ୍କୁ ନିୟୋଜିତ କରାଯାଇଛି। ଆଗ୍ରହୀ ଲୋକେ ଆଗୁଆ ଟଙ୍କା ଜମା କରି ଭଅଣ୍ଡ ବାହାରିଲେ ମହାପ୍ରସାଦ ନେଇ ପାରିବେ। ମହାପ୍ରଭୁଙ୍କ ଭଅଣ୍ଡ ଭୋଗରେ ପାଖାପାଖି ୪ କ୍ୱିଂଟାଲ ପ୍ରସାଦ କାଲି ଉଠିଥିଲା।