Odiapua.com

ବନ୍ଦ ସତ୍ୱେ ଓଏସଓୟୁ ପକ୍ଷରୁ ମାଗଣା ଅନଲାଇନ ଅଧ୍ୟୟନ ପ୍ଲାଟଫର୍ମର ଶୁଭାରମ୍ଭ

ସମ୍ବଲପୁର ୨୩-୩ (ଓଡ଼ିଆ ପୁଅ) ଅନଲାଇନରେ ଅଧ୍ୟୟନ ପାଇଁ ଆଗ୍ରହୀ ପାଠକପାଠିକାମାନଙ୍କ ନିମନ୍ତେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ଅଧ୍ୟୟନ ଭିତ୍ତିକ ସମ୍ବଳଗୁଡିକୁ ମାଗଣା ଅନଲାଇନରେ ଉପଲବ୍ଧ କରାଯାଇଛି। ଏହି ସମସ୍ତ ଅଧ୍ୟୟନ ଭିତ୍ତିକ ସମ୍ବଳଗୁଡିକ ମଧ୍ୟରେ ପଠନ ସାମଗ୍ରୀ, ଭିଡ଼ିଓ ଅଧ୍ୟାପନା, ପ୍ରଶ୍ନାବଳୀ, ଇ- ପାଠାଗାର ଏବଂ ସ୍ୱଳ୍ପକାଳୀନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ସମସ୍ତ ସ୍ନାତକ, ସ୍ନାତକୋତ୍ତର, ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମ ପାଇଁ ଏହି ୱେବ ଆଧାରିତ ସମ୍ବଳଗୁଡିକ ଉଦ୍ଧିଷ୍ଟ। ଏହି ଦିଗରେ ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ସାଧାରଣ ପାଠ୍ୟସୁଚୀ ଆଧାରରେ ଓଏସଓୟୁ ତରଫରୁ ପାଠ୍ୟକ୍ରମଗୁଡିକୁ ପ୍ରସ୍ତୁତ କରାଯାଇଛି। ଏହି ପାଠ୍ୟସୁଚୀଗୁଡିକ ନିୟମିତ ବିଶ୍ୱବିଦ୍ୟାଳୟଗୁଡିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ପାଠ୍ୟସୁଚୀ ସହିତ ସମାନ। ଆହୁରି ମଧ୍ୟ ଓଏସଓୟୁ ପକ୍ଷରୁ ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ରାଜନୀତି ବିଜ୍ଞାନ, ଇତିହାସ, ସମାଜ ବିଜ୍ଞାନ, ସାମ୍ବାଦିକତା ଓ ଗଣମାଧ୍ୟମ, ଅର୍ଥନୀତି, ବାଣିଜ୍ୟ, ବ୍ୟବସାୟ ପ୍ରସାଶନ, ପରିଚାଳନା, ସାଇବର ସିକ୍ୟୁରିଟି, ଗ୍ରାମୀଣ ବିକାଶ ଏବଂ ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି ବିଷୟଗୁଡିକ ପାଇଁ ପଠନ ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ଓଏସଓୟୁ ପକ୍ଷରୁ ଏହାର ଅନଲାଇନ ଅଧ୍ୟୟନ ପ୍ଲାଟଫର୍ମ ଇ – ଜ୍ଞାନଜ୍ୟୋତିକୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ମାଗଣା କରାଯାଇଛି। ଅନଲାଇନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓଡ଼ିଶାର ସାତୋଟି ବିଶ୍ୱବିଦ୍ୟାଳୟର ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ସର୍ବସାଧାରଣାମାନଙ୍କ ନିମନ୍ତେ ମାଗଣାରେ ଏହା ଉପଲବ୍ଧ। ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ୱେବସାଇଟକୁ ଯାଇ ଅଧ୍ୟୟନ କରିପାରିବେ। ଯଦି ସେମାନେ ଚାହିଁବେ ତେବେ ସେମାନେ ପଠନ ସାମଗ୍ରୀଗୁଡିକୁ ଡାଉନଲୋଡ ମଧ୍ୟ କରିପାରିବେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ଡ଼କ୍ଟର ଶ୍ରୀକାନ୍ତ ମହାପାତ୍ର କହିଥିଲେ ଯେ ପ୍ରତ୍ୟେକ ପାଠକପାଠିକାମାନଙ୍କ ପାଖରେ ଶିକ୍ଷାକୁ ପହଞ୍ଚାଇବା ଏବଂ ଅପହଞ୍ଚମାନଙ୍କ ପାଖରେ ପହଞ୍ଚିବା ବିଶ୍ୱବିଦ୍ୟାଳୟର ମୂଳ ଲକ୍ଷ୍ୟ। ବିଦ୍ୟାର୍ଥୀ ସମାଜକୁ ଆହ୍ୱାନ ଦେବାକୁ ଯାଇ ଡ଼କ୍ଟର ମହାପାତ୍ର ସରକାରୀ ନିର୍ଦେଶାବଳୀ ଅନୁଯାୟୀ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଉପଦେଶ ଦେବା ସହିତ ସମୟର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ।