Odiapua.com

ବନ୍ତ ଶିଶୁ ମନ୍ଦିର ରଜତ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ସରସ୍ୱତୀ ଶିଶୁ ମନ୍ଦିରର ୨୫ବର୍ଷ ପୂର୍ତ୍ତୀ ଅବସରରେ ୨ଦିନ ଧରି ଚାଲିଥିବା ରଜତ ଜୟନ୍ତୀ ସମାରୋହ ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. ଶଶଧର ଦାସ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଜ କିଶୋର ଆଚାରି ମୁଖ୍ୟ ବ୍ୟକ୍ତା, ବିଶିଷ୍ଟ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା, ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ଜେନା, ଶିକ୍ଷା ବିକାଶ ସମିତିର ସରୋଜ କୁମାର ଓଝା ପ୍ରମୁଖ ସମ୍ମାନିତ ଅତିଥି ବାବେ ଯୋଗଦେଇ ବିଦ୍ୟାମନ୍ଦିର ଆଜି ୨୫ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରିବା ଆମ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ଏହି ଅବସରରେ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଏହାକୁ କବୟତ୍ରୀ ଦିପ୍ତି ଦେବଦର୍ଶନୀ ସୁତାର, ରମାକାନ୍ତ ଜେନା, ସୁକାନ୍ତ କୁମାର ବେହେରା ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଏଠାରେ ଅଧ୍ୟୟନ ରତ ପ୍ରତ୍ୟେକ ଛାତ୍ର ଛାତ୍ରୀ ଭଲ ମଣିଷ ତାହା ନିସନ୍ଦେହ, ୨୫ବର୍ଷ ଧରି ଅନୁଷ୍ଠାନ ବଞ୍ଚି ରହିବା କଷ୍ଟକର ବ୍ୟାପାର ।

ଯେଉଁମାନେ ସେତେବେଳେ ଏହି ବିଦ୍ୟାମନ୍ଦିରକୁ ଗଢିଥିଲେ ଏବେ ସେମାନଙ୍କ ଠାରୁ ଶିକ୍ଷା ନେବା ଉଚିତ୍‌,ଆଜି ଦିନରେ ସେମାନଙ୍କୁ ସମ୍ମାନ ଆଉ ଯେଉଁ ମାନେ ଚାଲି ଯାଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରଜତ ଜୟନ୍ତୀ ଉତ୍ସବ ଫଳବର୍ତ୍ତୀ ହେବ । ସଭାରେ ମୁଖ୍ୟବକ୍ତା ଅମୃତ ଦର୍ଶନ ପତ୍ରିକାର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ଚରିତ୍ରବାନ ଓ ରାଷ୍ଟ୍ର ସେବକ ବୋଲି କହିଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାତା ସଭ୍ୟ,ସଭ୍ୟା, ପୂର୍ବତନ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆୟୋଜିତ ଦୁଇ ଅଧିବେଶନର ସଭାକୁ ରଜତ ଜୟନ୍ତୀ ପରିଚାଳନା ସମିତିର ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର କୁମାର ମିଶ୍ର ପୌରହିତ୍ୟ କରିଥିଲେ । ପ୍ରାରମ୍ଭରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ, ଆଚାର୍ଯ୍ୟା, କମିଟିର ସଭ୍ୟ, ସଭ୍ୟା ଓ ବୃଦ୍ଧିଜୀବି ମହଲ ପରିଚାଳନାରେ ସହଯୋଗ କରିଥିଲେ ।