Odiapua.com

ବନ୍ତ ବ୍ଲକର ମିଶନଶକ୍ତି ସୁପରଭାଇଜରଙ୍କ ମୃତ୍ୟୁ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକର ମହିଳା ଓ ଶିଶୁବିଭାଗର କାର୍ଯ୍ୟରତ ସର୍ବକନିଷ୍ଠ ମିଶନଶକ୍ତି ସୁପରଭାଇଜର ପ୍ରୀତିମୟୀ ଉଦଗାତା (୩୨)ଙ୍କ କଟକର ଏକ ଘରୋଇ ନର୍ସିହୋମରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଏହି ବ୍ଲକ ଗୋପିନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଣ୍ଡବା ଗ୍ରାମର ସୀତାରାମ ଉଦଗାତା ଓ ଦୁର୍ଗାବତୀ ଉଦଗାତାଙ୍କ କନିଷ୍ଠ କନ୍ୟା ପ୍ରୀତିମୟୀ ଜଣେ ମେଧାବୀ ଛାତ୍ରୀ ତଥା ବିଜ୍ଞାନରେ ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପରେ ୨୦୧୪ ମସିହାରେ କମ୍ପ୍ୟୁଟର ଶିକ୍ଷୟିତ୍ରୀ ଭାବେ ତେଲନଟୀ ଉଚ୍ଚ ବିଦ୍ୟାପୀଠ, ବାଲିପୋଖୀରୀରେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେ ଚାରିଗାଁ ଗ୍ରାମପଞ୍ଚାୟତ ଚକ୍ରାପାଢୀ ଗ୍ରାମର ହୃଷିକେଶ କର ଓ ସୁକାନ୍ତୀ କରଙ୍କ ଏକମାତ୍ର ପୁତ୍ର ଅକ୍ଷୟଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ପରେ ୨୦୧୯ ମସିହାରେ ବନ୍ତ ବ୍ଲକରେ ମହିଳା ଶିଶୁ ବିଭାଗ ମିଶନ ଶକ୍ତି ସୁପରଭାଇଜର ଭାବେ ଯୋଗ ଦେଇ କାର୍ଯ୍ୟରତ ଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ସଚୋଟ କର୍ମଚାରୀ ଭାବେ ବ୍ଲକରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀର ଚକ୍ରାପାଢୀରେ ପହଞ୍ଚିବା ପରେ ରାଜ୍ୟ ବିଜେଡ଼ି ସମ୍ପାଦକ ପ୍ରୟାସକାନ୍ତି ସାମଲ, ଲୋକଶକ୍ତି ସମ୍ପାଦକ ରବିନ୍ଦ୍ର ରାୟ, ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ପୂର୍ବତନ ସମିତି ସଭ୍ୟ ମନୋରଞ୍ଜନ ଘଡ଼େଇ, ସ୍ଥାନୀୟ ସରପଞ୍ଚ ଅଶୋକ ଦାସଙ୍କ ସମେତ ଗ୍ରାମବାସୀ ଓ ପ୍ରଶାସନିକ କର୍ମଚାରୀ ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ୬ମାସର ଏକମାତ୍ର ପୁତ୍ର, ସ୍ୱାମୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ ।