Odiapua.com

ବନ୍ତ ଇକୋ ବ୍ୟାଙ୍କ ଶାଖାରେ ତାଲା, ସେବା ନପାଇ ଗ୍ରାହକ ହନ୍ତସନ୍ତ

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ବନ୍ତ ବ୍ଲକ ସିନେମାହଲ୍ ଛକଠାରେ ୨୦୧୩ ମସିହାରେ ଇକୋ ବ୍ୟାଙ୍କ ଶାଖା ଓ ଏଟିଏମ୍ ଖୋଲାଯାଇଥିଲା । ତେବେ ଏହି ବ୍ୟାଙ୍କଟି ସଂପୃକ୍ତ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ନିଜସ୍ୱ ଘର ହୋଇଥିବାରୁ ଇତି ମଧ୍ୟରେ ଚୁକ୍ତି ଅବଧି ପୁରି ଯାଇଛି । ସାନି ବ୍ୟାଙ୍କ କତୃପକ୍ଷ ଚୁକ୍ତି ନକରି ବାରମ୍ବାର ସମୟ ଗଡ଼ାଇ ଚାଲିଥିବାରୁ ଆଜି ଗୃହ ମାଲିକ ବ୍ୟାଙ୍କରେ ତାଲା ପକାଇ ଦେବା ପରି ଅଭାବନିୟ ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ଏହି ତାଲା ପଡିବା ଯୋଗୁଁ ସଂପୃକ୍ତ ଅଞ୍ଚଳର ୨୫ ଗୋଟି ପଞ୍ଚାୟତର ଉପଭୋକ୍ତା ନାନା ହନ୍ତସନ୍ତ ହେଉଥିବାର ଦେଖାଯାଇଛି । ଏଠାରେ ୨୦୧୩ ମାର୍ଚ୍ଚ ୩୧ରେ ଶାଖା ଖୋଲାଯାଇଥିବା ବେଳେ ୧୦ବର୍ଷ ପାଇଁ ଘର ମାଲିକ ମାସିକ ୬ହଜାର ଟଙ୍କାରେ ବ୍ୟାଙ୍କ କତୃପକ୍ଷଙ୍କ ସହ ଚୁକ୍ତିନାମା କରିଥିଲେ । ଏହି ଅବଧି ଚଳିତ ମାର୍ଚ୍ଚ ମାସରେ ପୁରିବାର ଯଥେଷ୍ଟ ପୂର୍ବରୁ ଘର ମାଲିକ ବ୍ୟାଙ୍କ କତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ।

ଏଥିସହ ନୂତନ ଚୁକ୍ତିନାମା କରିବା ପାଇଁ ଜଣାଇ ଆସୁଥିଲେ । ସେତେବେଳେ ଉପରିସ୍ଥ ଅଧିକାରୀ ଘର ମାଲିକଙ୍କ ଠାରୁ ୩ମାସ ସମୟ ନେଇଥିଲେ । ଏହି ସମୟ ପୁରି ଯିବା ପରେ ପୂନଃର୍ବାର ବନ୍ତ ତହସିଲଦାର ଓ ଥାନାଧିକାରୀଙ୍କ ଉପସ୍ଥିତିରେ ବ୍ୟାଙ୍କ କତୃପକ୍ଷ ପୁଣି ୩ମାସର ସମୟ ନେଥିଲେ । ଏହି ସମୟ ମଧ୍ୟରେ କୌଣସି କିଛି ସମାଧାନ ନହେବାରୁ ଆଜି ଘର ମାଲିକ ଦିଲିପ କୁମାର ସାହୁ ବ୍ୟାଙ୍କର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଫଳରେ ଏହି ଶାଖା ଉପରେ ନିର୍ଭରଶୀଳ ୧୦ହଜାରରୁ ଉର୍ଦ୍ଧ ଗ୍ରାହକ ଆର୍ଥିକ କାରବାର ନେଇ ଅସୁବିଧା ସମ୍ମୁଖିନ ହୋଇଥିଲେ । ମଧ୍ୟାହ୍ନରେ ବନ୍ତ ତହସିଲଦାର ଅଙ୍କିତା ବାରିକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ସେଠୀ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,ଲିଡ଼ବ୍ୟାଙ୍କ ପରିଚାଳକ ନାଗେଶ୍ୱର ରାଓ,ବନ୍ତ ଶାଖା ପରିଚାଳକ ସୁନିଲ କୁମାର ମନିହିରାଙ୍କ ଉପସ୍ଥିତିରେ ଘର ମାଲିକଙ୍କ ସହ ଆଲୋଚନା କରି ୨ମାସ ମଧ୍ୟରେ ଶାଖା ସ୍ତାନାନ୍ତର ନେଇ ଲିଖିତ ପ୍ରତିଶୃତି ଦେବା ପରେ ବ୍ୟାଙ୍କର ମୁଖ୍ୟ ଫାଟକରୁ ତାଲା ଖୋଲାଯାଇଥିଲା ।